ଦୃଷ୍ଟି ଆଢୁଆଳରେ ଲୁଚିଛି ସବୁଜ ବନାନି ତ୍ରିବେଣୀଘାଟ ମୀନାଝୁଲା ର ମନୋରମ ଦୃଶ୍ୟ
୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୀନାଝୁଲା ଦୃଷ୍ଟି ଆଢୁଆଳରେ ଲୁଚି ଯାଇଛି ତିନୋଟି ନଦୀର ସମିଶ୍ରଣ ମୀନାଝୁଲା ତ୍ରିବେଣୀଘାଟର ମନୋରମ ଦୃଶ୍ୟ । ଏହି ନଦୀ ଭିତରେ ଥିବା ପଥର ଚଟାଣ ଭିତରେ ପୂଜା ପାଆନ୍ତି ଶିବ ଠାକୁର । ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକ ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ପ୍ରସିଦ୍ଧ ଶୈବକ୍ଷେତ୍ର । ଦକ୍ଷିଣ ଓଡିଶାର ତ୍ରିବେଣୀଘାଟ ଭାବେ ପରିଚିତ ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଂଙ୍ଗମ ସ୍ଥଳରେ ଏହି ମନୋରମ ପୀଠ ଥିଲେ ମଧ୍ୟ ସରକାରୀ ଅବହେଳା ଯୋଗୁ ଅଲୋଡା ଅବହେଳିତ ହୋଇ ରହିଯାଇଛି ଏହି କ୍ଷେତ୍ର । ଏହି ସ୍ଥାନରେ ସୁଉଚ୍ଚ ଜଳପ୍ରପାତ, ଘଞ୍ଚ ବନାନୀ, ଶିଳାବନ୍ଧୁର ନଦୀ ଶଯ୍ୟ ଅପୂର୍ବ ଆକର୍ଷଣ ସୃଷ୍ଟି କରିଥାଏ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହା ଆଜି ଯାଏ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିନାହିଁ । ପ୍ରତେକ ବର୍ଷ ଶିବରାତ୍ରୀ ଆସିଲେ ଅସ୍ଥାୟୀ ସୁବିଧା ଯୋଗାଇ ଜିଲା ପ୍ରଶାସନ ତାର ଦାୟୀତ୍ୱ ସାରି ଦେଉଥିବା ବେଳେ ଏହି କ୍ଷେତ୍ରର ବିକାଶ ହୋଇ ପାରୁନି । ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ମଧ୍ୟରେ ବଂଶଧାରା ନଦୀର ପଥର ଚଟାଣ ଦେହରେ ରହିଛି ଦୁଇଫୁଟର ଗର୍ତ୍ତ (ଝୁଲା) ଯାହା ମଧ୍ୟରେ ମୀନ (ମାଛ) ସଦୃଶ ପ୍ରଭୂ ମୀନ ଅବତାରରେ ମହାଦେବ ପୂଜା ପାଉଛନ୍ତି । ବର୍ଷର ବହୁ ସମୟ ଏହି ସ୍ଥାନ ଜଳମଗ୍ନ ହୋଇ ରହିଥାଏ । କେବେଳ ଶିବରାତ୍ରୀ ଯାତ୍ରା ସମୟରେ ଶିବଲିଙ୍ଗ ଦର୍ଶନ କରିହୁଏ । ଏହାକୁ ସ୍ୱୟମ୍ବୁ ଶିବଲିଙ୍ଗ ବୋଲି କୁହାଯାଏ ।ପ୍ରତିବର୍ଷ ଶିବରାତ୍ରୀ ଉତ୍ସବ ଅବସରରେ ଏଠାରେ ବଡଧରଣର ଯାତ୍ରା ହୁଏ । ଓଡିଶାର ବିଭିନ୍ନ ଜିଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ. ଛତିଶଗଡ,ମଧ୍ୟପ୍ରଦେଶରୁ ହଜାର ହଜାର ଭକ୍ତ ଆସି ଏଠାରେ ବୁଡ ପକାଇ ଦିଅଁ ଦର୍ଶନ କରିଥାନ୍ତି । କଥିତ ଅଛିଯେ, ଏହି ତ୍ରିବେଣୀଘାଟରେ ବୁଡ ପକାଇଲେ ନିଃସନ୍ତାନ ଦମ୍ପତି ପୁତ୍ର ସନ୍ତାନ ଲାଭ କରିଥାନ୍ତି । ଏହାଛଡା ଏଠାକୁ ଭଣ୍ଡାରୀ (ବାରିକ) ସମ୍ପ୍ରଦାୟର ଶତାଧିକ ଲୋକ ଆସି ପାରମ୍ପାରିକ ପ୍ରଥା ଅନୁଯାଇ ମୁଣ୍ଡନ (ଲଣ୍ଡା) କରିଥାନ୍ତି । ଏଠାରେ ବିଭିନ୍ନ ମାନସିକଧାରୀ ସନ୍ତାନ ପ୍ରାପ୍ତି ପରେ ସନ୍ତାନର ପ୍ରଥମ ଚୁଟି କାଢନ୍ତି । ପୂଜା ଅବସରରେ ଉଠା ଦୋକାନୀଙ୍କ ଆସର ଓ ମୀନାବଜାର ନିର୍ଜନ ବନାନୀର ପରିବେଶକୁ ମନମୁଗ୍ଧ କରି ତୋଳିଥାଏ । ନିତିଦିନିଆ ଗମନାଗମନର ସୁବିଧା ନ ଥିଲେ ମଧ୍ୟ ଏଠାରେ ହଜାର ହଜାର ଯାତ୍ରୀଙ୍କ ସମାଗମ ସମସ୍ତଙ୍କୁ ବିସ୍ମିତ କରିଥାଏ । ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ଏହି ସଂଗମସ୍ଥଳ ବହୁ ହିଂସ୍ରଜନ୍ତୁ ଆବାସସ୍ଥଳ । କିନ୍ତୁ ଶିବରାତ୍ରୀ ସମୟରେ ବନ୍ୟଜନ୍ତୁଙ୍କ ଦେଖିବାକୁ ମିଳିନଥାଏ । ରାୟଗଡା ସଦର ମହକୁମା ଠାରୁ ମିନାଝୁଲାର ଦୂରତା ପ୍ରାୟ ୧୧୫ କି.ମି. ହେବ । ବିଷମକଟକ ଓ ମୁନିଗୁଡା ଦେଇ ସେଠାକୁ ଯିବାକୁ ପଡେ । ଗୁଣପୁର ସଦର ମହକୁମାରୁ ଗୁଡାରୀ-ଶିରିଗୁଡା ଏବଂ ବେଲାମଗୁଡା ଦେଇ ଗଲେ ୭୦କି.ମି. ରାସ୍ତା ପଡେ । ରାସ୍ତାଘାଟର ସୁବିଧା ନଥିବାରୁ ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହେଇରହିଛି । ଯାନବାହାନ ଯାତାୟତ ବହୁ ଅସୁବିଧା ଦେଖିବାକୁ ମିଳିଛି । ମୁଖଃତ ଟ୍ରାଫିକ ସମସ୍ୟା ଦୀର୍ଘ ସମୟ ଲାଗିରହିଥାଏ ।ପ୍ରତ୍ୟେକ ବର୍ଷ ଏହି ଶିବରାତ୍ର ଦିନ ଭକ୍ତମାନେ ରାତ୍ରଯାପନ କରି ଏଠାରେ ଜାଗରଣ କରିଥାନ୍ତି । ଛୋଟ ଛୋଟ ଅସ୍ଥାୟୀ ଘର ନିର୍ମାଣ କରି ଦୁର ଦୁରାନ୍ତର ଭକ୍ତମାନେ ରୁହନ୍ତି । କିନ୍ତୁ ପରିତାପର ବିଷୟ ଏଠାରେ ଆଲୋକର ବ୍ୟବସ୍ଥା ନଥିବାରୁ ଭକ୍ତମାନେ ଅନ୍ଧାରରେ ବହୁ କଷ୍ଟରେ ରୁହନ୍ତି । ଛୋଟ ବଡ ଚୋରୀ ଓ ପକେଟ ମାର ମଧ୍ୟ ଏଠାରେ ହୋଇଥାଏ । ଆବଶ୍ୟକ ମୁତାବକ ରହଣୀ ସ୍ଥାନର ଅଭାବ, ପାନୀୟ ଜଳର ଅବ୍ୟବସ୍ଥା, ଆଲୁଅ ବ୍ୟବସ୍ଥା ନଥିବା ଯୋଗୁଁ ବହୁ ଦୁର ଦୁରାନ୍ତର ଯାତ୍ରୀ ହଇରାଣ ହେଉଥିବା ନଜରି ରହିଛି । ନାମକୁ ମାତ୍ର ପୁଲିସ ଏଠାକେ ମୁତୟନ ରହି ଦାୟିତ୍ୱ ଶେଷ କରିଦିଅନ୍ତି । ଏହି ପ୍ରେରିପେକ୍ଷୀରେ ଗୁଡାରୀର କେତେକ ଯୁବ ଗୋଷ୍ଠି ମୀନୀଝୁଲାର ଉପର ମୁଣ୍ଡରେ ଭକ୍ତମାନଙ୍କ ପାଇଁ ପ୍ରତେକ ବର୍ଷ ଖାଦ୍ୟପେୟ ବ୍ୟବସ୍ଥା କରି ଆସୁଛନ୍ତି ।ଏହି ସ୍ଥାନ ଅଭୟାରଣ୍ୟ, ଜଳପ୍ରକଳ୍ପ ଏବଂ ପର୍ଯ୍ୟଟନସ୍ଥଳୀ ହେବାର ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ତାହା ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି । ମିନାଝୁଲା ଠାରେ ଏକ ପାନ୍ଥନିବାସ ଓ ଭକ୍ତ ନିବାସ ନିର୍ମାଣ ସହ ଗମନାଗମନା ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ବର୍ଷ ଧରି ଦାବୀ କରି ଆସୁଛନ୍ତି । କିନ୍ତୁ ସରକାରୀ ଅବହେଳାର ପରିଧି ମଧ୍ୟରୁ ଏହି ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳି ବାହାରି ପାରିନି । ଏହାପରେ ଜିଲା ପ୍ରଶାସନ ମଧ୍ୟ ମିନାଝୋଲା ସ୍ଥଳକୁ ଦୀର୍ଘମିଆଦି ଯୋଜନାର ଅନ୍ତଭୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । ଚଳିତ ଥର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଚଇତି ପର୍ବ ର କଳସ ମୀନାଝୁଲା ରୁ ବାହାରି ଥିଲା।ଫଳରେ ମନ୍ତ୍ରୀ ବିଧାୟକ ଙ୍କ ସମେତ ଜିଲ୍ଲା ପ୍ରଶାସନ ର ମୁଖ୍ଯ ମାନେ ଏକତ୍ରିତ ହୋଇଥିଲେ। ତଥାପି ମୀନାଝୁଲା ପାଇଁ କିଛି ସ୍ବତନ୍ତ୍ର ଭାବେ ଅନୁଦାନ କିମ୍ବା କୌଣସି ପ୍ରକଳ୍ପ ଘୋଷଣା କରାଯାଇ ନଥିଲା। ଏବେ କିଛିମାସ ହେବ କେତେକ ଭକ୍ତ ଆଗକୁ ଆସି ଏକ ଟ୍ରଷ୍ଟ ଗଠନ କରି ଏହି ପର୍ଯ୍ଯଟନ ସ୍ଥଳୀର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ଅନ୍ଯପକ୍ଷେ ଜଣେ ବାବାଜୀ ମହାରାଜ ମଧ୍ୟ ଏବେ ଏହି ସ୍ଥଳିରେ ଆଶ୍ରମ କରି ରହିଥିବାରୁ ଏବେ ଭକ୍ତମାନେ ଅନ୍ଯ ସମୟରେ ଗଲେ ମଧ୍ୟ ଠାକୁର ପୂଜା କରିବାରେ ସୁବିଧା ହେଉଛି। ତେବେ ଏହି ପର୍ଯ୍ଯଟନ ସ୍ଥଳୀ ଉପରେ ସ୍ବତନ୍ତ୍ର ଧ୍ଯାନ ଦେବାକୁ ଦାବୀ ହେଉଛି ।