ବାରିପଦା ସଦର ଥାନା ପୋଲିସ ଗିରଫ କରିଛି : ଶିମିଳିପାଳରୁ ଧରାପଡିଲେ ୫ ବନ୍ୟପ୍ରାଣୀ ତସ୍କରଙ୍କୁ

୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାରିପଦା :- ବାରିପଦା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ମିଳିତ ଚଢ଼ାଉ । ୫ ବନ୍ୟପ୍ରାଣୀ ତସ୍କରଙ୍କୁ ବାରିପଦା ସଦର ଥାନା ପୋଲିସ ପାଇକବସା ଗ୍ରାମରୁ ଗିରଫ କରିଛି । ସେମାନେ ହେଲେ ରାଇରଙ୍ଗପୁର ସଦର ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ସୁନ୍ଦର ମୋହନ, ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରାମ ବିନ୍ଧାଣି, ବାରିପଦା ସଦର ଥାନା ଅନ୍ତର୍ଗତ ଲାଲଗଞ୍ଜ ଗ୍ରାମର ବୁଦ୍ଧିରାମ ସିଂ ଓ ଜିତେନ ଶ୍ୟାମ ସିଂ ଏବଂ ପାଇକବସା ଗ୍ରାମର ସୁନାରାମ ବାରିକ ଅଟନ୍ତି ।ଏହି ଅଭିଯୁକ୍ତ ମାନଙ୍କ ପାଖରୁ ମୃତ ହାତୀର ହାଡ଼ କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କିଛି ଦିନ ପୂର୍ବରୁ କଲରାପତରିଆ ବାଘର ଛାଲ ଜବତ ଘଟଣା ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବା ଘଟଣା ହୋଇଥିଲା । ଉକ୍ତ ଦୁଇ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ମିଳିଥିବା ଲିଙ୍କ ଅନୁଯାୟୀ ବନ ବିଭାଗ ତଦନ୍ତ କରିଥିଲା ।

ସୂଚନା ଅନୁଯାୟୀ ସୁନାରାମଙ୍କ ଘରେ ଏ ଗୁଡିକକୁ ଚୋରା ବ୍ୟବସାୟୀ ପାଇଁ ମୂଳଚାଲ ଚାଲିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉଭୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଉକ୍ତ ତସ୍କର ମାନେ ସମାନ ଘଟଣାରେ ସଂପୃକ୍ତ ଥାଇ ଜେଲ ଯାଇଥିଲେ । ଏନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।