ଏହି ସୁମଧୁର ସଙ୍ଗୀତର ମାହୋଲକୁ ଦର୍ଶକମାନେ ଭରପୂର ଉପଭୋଗ କରିଥିଲେ । ଚଳିତ ବର୍ଷ ଏହି ମେଳା ପରିସରରେ ସମୁଦାୟ ୪୦୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ ହସ୍ତଶିଳ୍ପ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଯଥା ପଟ୍ଟଚିତ୍ର, ତାଳପତ୍ର ଚିତ୍ର, କାଠ କେ„ଇ, କଂସା ଓ ପିତ୍ତଳ କାମ, ନଡିଆ ହସ୍ତଶିଳ୍ପ, ଝୋଟ ଶିଳ୍ପ, ଡୋକରା, ଜନଜାତି ଅଳଙ୍କାର, ସବାଇ ଘାସ ଶିଳ୍ପ, କାଇଁଚ ଶିଳ୍ପ, ପଥର ଖୋଦେଇ, କାଗଜ ମୁଖା, ଶିଙ୍ଗ କାମ, ରୂପା ତାରକସି, ଲାଖ ଶିଳ୍ପ, ନଡିଆ କତା ଶିଳ୍ପ ଇତ୍ୟାଦି ପ୍ରଦର୍ଶନପୂର୍ବକ ବିକ୍ରିବଟା କରୁଛନ୍ତି ।
ଏତଦ୍ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ପଶିମବଙ୍ଗ, ଗୁଜୁରାଟ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ପୁଡୁଚେରୀ, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ସିକିମ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ହରିୟାନା, ମଣିପୁର, ତ୍ରିପୁରା, ତାମିଲନାଡୁ, ହିମାଚଳ ପ୍ରଦେଶ ରୁ ୨୫୦ ଜଣ କାରିଗର ସେମାନଙ୍କର କଳାକୃତି ପ୍ରଦର୍ଶନ କରିଛନ୍ତି । ଆଜି ତୋଷାଳି ଜାତୀୟ ମେଳାର ଚତୁର୍ଥ ସଂଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନଗହଳି ହୋଇଥିଲା ।
ଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନର ମଜା ଉଠାଉଛନ୍ତି । ଏଯାବତ ମେଳାରେ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟ ଷ୍ଟଲ ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨, ୨୦୨୩ ପର୍ଯ୍ୟନ୍ତ ଚାଲିବ ।

© 2023 Odisha Taza News.