ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ବିଶିଷ୍ଟ ନୃତ୍ୟାଙ୍ଗନା ଡା. ଶୁଭଶ୍ରୀ ପଟ୍ଟନାୟକ କୁନ୍ତୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ମହାଭାରତରେ ବର୍ଣ୍ଣିତ ପାଣ୍ଡବଙ୍କ ମାତା ଥିଲେ କୁନ୍ତି, ଯେକି ପଂଚକନ୍ୟାଙ୍କ ମଧ୍ୟରୁ ଥିଲେ ଅନ୍ୟତମ । କୁନ୍ତିଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାଶାଋଷି ତାଙ୍କୁ ଏକ ମନ୍ତ୍ର ପ୍ରଦାନ କରିଥିଲେ । ଏହି ବିଷୟବସ୍ତୁକୁ ନିଜର ଲାଳିତ୍ୟ ଅଙ୍ଗଭଙ୍ଗୀ ଓ ଆକର୍ଷଣୀୟ ମୁଖାଭିନୟ ସହିତ ବେଶ ଚମତ୍କାର ଭାବେ ପରିବେଷଣ କରିଥିଲେ ଡା. ଶୁଭଶ୍ରୀ ପଟ୍ଟନାୟକ । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ସଂଗୀତ ନିର୍ଦ୍ଦେଶନାରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ରହିଥିଲେ ।
ଏହାପରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଓଡ଼ିଶୀ ନୃତ୍ୟ କି ଶୋଭା ଗୋ ଗୁଞ୍ଜେ ମଦନ ମୋହନ ପରିବେଷଣ କରାଯାଇଥିଲା । ଏଠାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି । ଏହାପରେ ଡା. ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ ନିଦ୍ଦେର୍ଶନାରେ ମହାଲକ୍ଷ୍ମୀ ଅଣୁକମ ତ୍ରିଧରା ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ । ରାଗ-ରାଗ ମାଳିକା ଓ ତାଳ-ତାଳ ମାଳିକାରେ ଆଧାରିତ ଏହି ନୃତ୍ୟର ସଂଗୀତ ଗୁରୁ ଥିଲେ ଡା. ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଗ କରିଥିଲେ ଗୁରୁ ସଚିତା ନନ୍ଦ ଦାସ ।
ଏହାପରେ ସମ୍ପ୍ରଦା ଅନୁଷ୍ଠାନର ନୃତ୍ୟଶିଳ୍ପୀ ଝୁଲଣ କୁଞ୍ଜ ପରିବେଷଣ କରିଥିଲେ । ନୃତ୍ୟ ସଂଯୋଜନା ଦେଇଥିଲେ ଗୁରୁ ସୁହାଗ ନଳିନୀ ଦାସ, ରାଗ ଶଙ୍କରାଚରଣ ଓ ଏହା ତାଳ ରୂପକରେ ଆଧାରିତ । ସଂଗୀତ ଗୁରୁ ପ୍ରଫେସର ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶରତ ଦାସ ।

© 2023 Odisha Taza News.