No Result
View All Result
୩୦ ଜାନୁଆରୀ,ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗତକାଲି ବିଳମ୍ବିତ ରାତିରେ ବିଧାନସଭା ପରିସରରେ ଦିବଂଗତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗତକାଲି ଅପରାହରେ ବ୍ରଜରାଜନଗରଠାରେ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ
ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଡାକ୍ତରଖାନାରୁ ତାଙ୍କ ମରଶରୀର ବିଳମ୍ବିତ ରାତିରେ ବିଧାନସଭା ପରିସରକୁ ଅଣାଯାଇଥିଲା ।
ବିଧାନସଭା ପରିସରରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଦଳମତ ନିର୍ବିଶେଷରେ ବିଧାୟକବୃନ୍ଦ, ଭୁବନେଶ୍ୱର ମହାନଗର ନିଗମର ମେୟର, ବିଧାନସଭା ସଚିବ, ପୋଲିସ କମିଶନର, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ,
ଭୁବନେଶ୍ୱର ଡିସିପି ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହି ସ୍ୱର୍ଗତ ନବ କିଶୋର ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଏହି ଆଗଧାଡ଼ିର ରାଜନେତା ସ୍ୱର୍ଗତ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି ।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଥିଲା । ଜଣେ ଦକ୍ଷ ରାଜନେତା ଓ ଲୋକପି୍ରୟ ଜନନେତା ଭାବେ ସମାଜର ସବୁବର୍ଗର ସେ ପ୍ରିୟଭାଜନ ଥିଲେ । ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କ କାର୍ଯ୍ୟ ଉତ୍ତରପିଢ଼ିର ରାଜନେତାଙ୍କ ପାଇଁ ଅନୁକରଣୀୟ ରହିବ ଏବଂ ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଧେର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି 

No Result
View All Result