ଶେଷରେ ଚନ୍ଦ୍ରଶେଖର ଭରସା, ଭାରତ ରାଷ୍ଟ୍ର ସମିତିରେ ଗମାଙ୍ଗ ପରିବାର ସହିତ ଜୟରାମ ପାଙ୍ଗି

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଲକ୍ଷ୍ମୀପୁର :- ଶେଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଭାରତ ରାଷ୍ଟ୍ର ସମିତି ପାର୍ଟିରେ ସାମିଲ ହୋଇଛନ୍ତି ଗମାଙ୍ଗ ପରିବାର । ଏକଦା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦବଦବା ଥିଲା ପୁର୍ବତ୍ତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର । ଖାଲି ସେତିକି ନୁହେଁ ତାଙ୍କ ସହିତ ତାଙ୍କର ପତ୍ନୀ ହେମା ଗମାଙ୍ଗଙ୍କର ମଧ୍ୟ ମଧ୍ଯ କୋରାପୁଟ ଜିଲ୍ଲାରେ ପତିଆରା ରହିଥିଲା । ଗିରିଧର କୋରାପୁଟ ଲୋକସଭା ଆସନରୁ ଲଗାତାର ୮ ଥର ସହିତ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସହିତ ବିଭିନ୍ନ ସମୟରେ ଟେଲି ଯୋଗାଯୋଗ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାଇତ୍ବ ସମ୍ଭାଳି ଥିଲେ ।

ଗାନ୍ଧୀ ପରିବାରର ଜଣେ ଅନୁଗତ ଭାବରେ କଂଗ୍ରେସରେ ତାଙ୍କର ସୁନାମ ରହିଥିଲା । ଏପରିକି ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀ କେନ୍ଦ୍ରରେ ଏନଡିଏର ପ୍ରଧାନମନ୍ତ୍ରୀ ଥିବାବେଳେ ଅଞ୍ଜନା ମିଶ୍ର ଘଟଣା କୁ ନେଇ ଓଡିଶା ରାଜନୀତି ହୁଲସ୍ତୁଲ ହେବା ସହିତ ତାହାକୁ ପ୍ରଶମିତ କରିବା ପାଇଁ ସେତେବେଳେ ସାଂସଦ ଥିବା ଗିରିଧର ଙ୍କୁ କଂଗ୍ରେସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଆସୀନ କରିଥିଲା । ତେବେ ଆସ୍ଥାଭୋଟ ବେଳେ ବାଚସ୍ପତି ଗମାଙ୍ଗଙ୍କୁ ବିବେକା ମୋଦିତ ଭୋଟ ଦେବାପାଇଁ ସୁଯୋଗ ଦେଇଥିଲେ । ଯେଉଁ ଭୋଟ ବରାବର ହେବାରୁ ଗମାଙ୍ଗଙ୍କ ଗୋଟିଏ ଭୋଟରେ ବାଜପେୟୀଙ୍କ ସରକାର ଆସ୍ଥାଭୋଟରେ ହାରିଥିଲା ।

ତେବେ ୧୯୭୨ ମଶିହାରୁ ୧୯୮ ମଶିହା ପର୍ଯ୍ୟନ୍ତ ଲଗାତର ୮ ଥର ଜିତିଥିଲା ବେଳେ ୧୯୯୯ ମଶିହାରେ ତାଙ୍କ ପତ୍ନୀ ହେମା ଗମାଙ୍ଗ ଜିତିଥିଲେ । ସେହିପରି ୨୦୦୪ ପୁଣି ଗିରିଧର ଗମାଙ୍ଗ ଲୋକସଭାକୁ ନିର୍ବାଚିତ ହୋଇ ୯ ଥର ଲୋକସଭାକୁ ନିର୍ବାଚିତ ହେବାର ସୌଭାଗ୍ଯ ଲାଭ କରିଥିଲେ । ତେବେ ୨୦୦୯ ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କ ଠାରୁ ଗିରିଧର ଗମାଙ୍ଗ ପରାଜୟ ବରଣ କରିଥିଲେ । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ଗମାଙ୍ଗ ବିଜେଡିର ଝିନ ହିକକାଙ୍କ ଠାରୁ ପରାଜିତ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନ ୨୦୧୯ ରେ ଦଳ ତାଙ୍କୁ ଟିକେଟ୍ ନଦେଇ ନବାଗତ ପ୍ରାର୍ଥୀ ପୁର୍ବତ୍ତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକାଙ୍କୁ ଟିକେଟ୍ ଦେଇଥିଲା ବେଳେ ସେ ବିଜୁଜନତା ଦଳର ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାସ୍ତ କରି ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଦିନ ଥିଲା ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କ ଆଦିବାସୀ ନେତା ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦବଦବା ଥିଲା । ଜୟରାମପାଙ୍ଗି ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ୪ଥର ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି । ସେ ଶିକ୍ଷକ ଚାକିରୀ କରିଥିଲେ । ଚାକିରୀ ଛାଡ଼ି ରାଜନୀତି କ୍ଷେତ୍ରରେ ପାଦଥାପିଥିଲେ । ପ୍ରଥମେ ସେ ଜନତା ପାର୍ଟି ରୁ୧୯୭୭ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁଣି ୧୯୯୦ ରେ ବିଜୁପଟ୍ଟନାୟକଙ୍କ ସମୟରେ ଜନତା ଦଳରୁ ଜିତିଥିଲେ । ସେହିପରି ବିଜେଡ଼ିରୁ ଲଗାତର ୨୦୦୦ ଓ ୨୦୦୪ ରେ ଜିତିଥିଲେ । ସେ ସମବାୟ ଓ ଅବକାରୀ ମନ୍ତ୍ରୀ ଦାୟିତ୍ବରେ ଥିଲେ ।

ତେବେ ଉଭୟ ସେମାନଙ୍କ ମୂଳ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଥିଲେ । ଗିରିଧର ଗମାଙ୍ଗ ତାଙ୍କର ମୂଳ ଦଳ ଯେଉଁ ଦଳରୁକି ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ଦଳ ତ୍ଯାଗ କରି ବିଜେପିରେ ଯୋଗ ଦେଇଥିଲେ । ସୂଚନା ଯୋଗ୍ଯ ତାଙ୍କ ପାଇଁ ହିଁ ୧୦୯୮ ରେ ଭାଜପା ପ୍ରାର୍ଥୀ ଏନଡିଏର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀ ସରକାର ପତନ ହୋଇଥିଲା । ସେ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ବିଜେପିରେ ମିଶିଥିଲେ । ପାଙ୍ଗି ମଧ୍ୟ ରାଜ୍ୟରେ ସମବାୟ ଓ ଅବକାରୀ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ସେହିପରି ବିଜେଡ଼ିରୁ ନିଲମ୍ବିତ ହେବାପରେ ଭାଜପାରେ ସାମିଲ୍ ହୋଇଥିଲେ ।

ଅନ୍ଯପକ୍ଷରେ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ମଧ୍ଯ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତେବେ ବିଜେପିରେ ଉଭୟ ଗମାଙ୍ଗ ଓ ଜୟରାମ ପାଙ୍ଗି ଏକ ପ୍ରକାର ଅଲୋଡ଼ା ଅନୁଭବ କରିବା ସହିତ ନିଜକୁ ଖାପ ଖୁଆଇ ପାରିଲେ ନାହିଁ । ଏପରିକି ହେମା ମଧ୍ୟ ବିଜେଡିରେ ବେଶୀଦିନ ରହି ପାରିଲେ ନାହିଁ । ଏକଦା ଗମାଙ୍ଗ ଓ ପାଙ୍ଗି ଉଭୟ ପରସ୍ପର ରାଜନୈତିକ ଶତୃ ଥିବା ବେଳେ ବର୍ତ୍ତମାନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟିରେ ମିଶିଛନ୍ତି । କୋରାପୁଟ ଜିଲା ଯେହେତୁ ଦକ୍ଷିଣ ଭାରତକୁ ଲାଗିଛି ଏବଂ ଏହି ଜିଲ୍ଲାର ନେତାମାନେ ମଧ୍ୟ ତେଲୁଗୁ ଭାଷା ସହିତ ପରିଚିତ ।

ଏଠାରେ ଦଳର ମୂଳଦୁଆ ପକାଇବା ପାଇଁ ଚନ୍ଦ୍ରଶେଖର ଆଶାବାଦୀ ଥିବା ଅନୁମାନ କରାଯାଉଛି । ସେହିପରି ଉଭୟ ନେତା ମାନେ ବିଜେପିରେ ଅଣ ନିଶ୍ବାସ ହେବା ସହିତ ଅଲୋଡ଼ା ଅନୁଭବ କରି ଭାରତ ରାଷ୍ଟ୍ର ସମିତିର ପାର୍ଟି କୁ ଦକ୍ଷିଣ ଓଡିଶା ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ପାର୍ଟି କୁ ଆଗକୁ ନେବା ପାଇଁ ମଙ୍ଗୁଆଳ ଭୂମିକା ନିଭାଇବେ ବୋଲି ଅନୁମାନ କରାଯାଉଛି । ତେବେ ଆଗାମୀ ସମୟ କହିବ ଚନ୍ଦ୍ରଶେଖର ପାର୍ଟି ଏହି ନେତାମାନଙ୍କ ଦ୍ବାରା କେତେକ ଆଗକୁ ବଢିବ ଓ ଏମାନେ ଭାରତ ରାଷ୍ଟ୍ର ସମିତି ପାର୍ଟିକୁ ପାଇଁ କେତେ ଦୂର ନିଜ ନିଜର ରାଜନୈତିକ ପତିଆରାକୁ ପୁଣି ଫେରାଇ ଆଣିବାକୁ ସଫଳ ହେଉଛନ୍ତି ।