ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ରଣପୁର :- ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଦେବୋତର ବିଭାଗର ଅଧିକାରୀ ତଥା ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ରଥ ନିର୍ମାଣରେ ଅଚଳାବସ୍ଥା ରହିଥିଲା । ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ରଥ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ସମସ୍ତ ରଥ ସମ୍ପର୍କୀୟ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ବର୍ତ୍ତମାନ ରଥ ନିର୍ମାଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଲେ ରଥ ଟଣା ଯିବ ବୋଲି ତହସିଲଦାର ଶ୍ରୀ ସାମନ୍ତରାୟ ବୈଠକରେ ମତ ଦେଇଥିଲେ । ଏହି ବୈଠକରେ ସମସ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।
ପ୍ରତିବର୍ଷ ରଥ ନିର୍ମାଣ ପାଇଁ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଦରକାର ପଡୁଥିବା ବେଳେ ସରକାର ମାତ୍ର ୧ ଲକ୍ଷ ଟଙ୍କା ଅନୁଦାନ ଦେଉଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ବୋଲି ମତ ପ୍ରକାଶ ପାଇବା ସହ ବୈଠକରେ ଏଥି ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁରୀ ପରେ ରଣପୁର ଜଗନ୍ନାଥ ମନ୍ଦିର ୧୩୬୩ ମସିହାରେ ଓଡିଶାର ଦ୍ୱିତୀୟ ଜଗନ୍ନାଥ ମନ୍ଦିର ଭାବେ ପ୍ରତିଷ୍ଠା ଲାଭ କରିଥିବା ବେଳେ ରାଜ୍ୟ ସରକାର ଅନ୍ୟ ସ୍ଥାନରେ ହେଉଥିବା ରଥଯାତ୍ରା ନିମନ୍ତେ ଅଧିକ ଅର୍ଥ ପ୍ରଦାନ କରୁଥିବା ବେଳେ ରଣପୁରକୁ ସ୍ୱଳ୍ପ ଅନୁଦାନ ଦେଉଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଗତ ୨ ବର୍ଷ ତଳେ ପୂର୍ବତନ ବିଧାୟକ ରବି ମହାପାତ୍ରଙ୍କ ଉଦ୍ୟମରେ ରଥଯାତ୍ରା ନିମନ୍ତେ ୩ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଥିଲା । ସେହିପରି ମନ୍ଦିର ପ୍ରଶାସନ ରଥଯାତ୍ରା ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ସାମ୍ବାଦିକମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ସାମ୍ବାଦିକମାନଙ୍କୁ ମନ୍ଦିର ଭିତରକୁ ଯାଇ ଫଟୋ ଉଠାଇବା, ଭିଜୁଆଲ ସଂଗ୍ରହ ନିମନ୍ତେ ଅନୁମତି ନ ଥିବାରୁ ବୈଠକରେ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ ।
ରଥଯାତ୍ରା ପାଇଁ ପୂର୍ବଭଳି ସମସ୍ତ କମିଟ୍ ଗଠନ କରାଯିବା ସହ ସମସ୍ତ ନୀତି ନିର୍ଘଂଟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପଚାନନ ପଟ୍ଟାୟତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ବୈଦ୍ୟନାଥ ନନ୍ଦ, ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି, ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାସ, ପୂର୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ, ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର, ବରିଷ୍ଟ ଆଇନିଜୀବୀ ଦିଲୀପ କୁମାର ନନ୍ଦ, ସୁରେଶ ମିଶ୍ର, ବିରଂଚି ତ୍ରିପାଠୀ, ନବକିଶୋର ରାୟ, ପୂର୍ଣ୍ଣଚନ୍ଦ୍ର ନାୟକ, ଡଃ ପ୍ରଶାନ୍ତ କୁମାର ମିଶ୍ରଙ୍କ ସହ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ସେବାୟତ, ସାମ୍ବାଦିକ ଉପସ୍ଥିତ ଥିଲେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com