ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଜନ୍ମ କରି ପୋଖରି ହୁଡାରେ ପିଙ୍ଗିଦେଲା ମାଆ । ହେଲେ ଆଉ ଜଣେ ମମତାରେ ଭରା ହୃଦୟ ନେଇ ପର ସନ୍ତାନକୁ ଆପଣାଇ ନେଇଛନ୍ତି । ମଙ୍ଗଳବାର ମୋହନା ଥାନା ଚାନ୍ଦିପୁଟ ଗାଁରେ ଏହା ଘଟିଛି । ସକାଳେ ଗାଁ ପୋଖରୀ ହୁଡାରେ ନବଜାତ ଶିଶୁ କନ୍ୟା କାନ୍ଦୁଥିବା ଶୁଣିବାକୁ ପାଇଥିଲେ କିଛି ଗ୍ରାମବାସୀ । ପୋଖରୀ ହୁଡାରେ ଏକ ଗାମୁଛା ଉପରେ ଶିଶୁ କନ୍ୟାକୁ ରଖି କେହି ଚାଲି ଯାଇଥିଲେ ।
ତେବେ ସେହି ଗାଁ ସସ୍ମିତା ନାୟକ ଶିଶୁ କନ୍ୟାଟିକୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ, ତାର ଯତ୍ନ ନେଇଥିଲେ । ନିଜର ପିଲା ଛୁଆ ନଥିବା ଯୋଗୁଁ ଶିଶୁ କନ୍ୟାକୁ ପାଇ ସ୍ଥନୀୟ ମହିଳା ସ୍ବାସ୍ଥ୍ୟକର୍ମୀ ନମିତା କୁମ୍ଭ ଓ ଆଶା କର୍ମୀ ଟୁନୁରି ବେହେରା ସସ୍ମିତାଙ୍କ ଘରକୁ ଯାଇ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅଧିକ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ମୋହନା ମେଡିକଲକୁ ଆଣିଥିଲେ । ଶିଶୁ କନ୍ୟାକୁ ନିଜ ପାଖକୁ ପୁଣି ନେବା ପାଇଁ ସସ୍ମିତା ବହୁ କାକୁତିମୀନତି ହୋଇଥିଲେ ହେଁ ପ୍ରଶାସନ ଶୁଣି ନଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁ କନ୍ୟାକୁ ପାରଳାଖେମଣ୍ଡି ଶିଶୁ ସୁରକ୍ଷା ୟୁନିଟ୍କୁ ନିଆଯାଇଛି । ଆଇନ ଅନୁଯାୟୀ ଆବେଦନ କରିବାକୁ ସସ୍ମିତାକୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଡା. ନମିତା ପଣ୍ଡା କହିଛନ୍ତି ।

© 2023 Odisha Taza News.