ଓଡିଶାତାଜା ନ୍ୟୁଜ୍ ( ୦୮ ଜୁନ୍ ସୋମବାର ) କୋଭିଡ-୧୯ ମହାମାରୀ :- କୋଭିଡ-୧୯ ମହାମାରୀ ପରିପେକ୍ଷୀରେ ସମଗ୍ର ଦେଶରେ ଲକ୍ ଡାଉନ ଯୋଗୁଁ, ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ନିରାପଦ ଭାବରେ ରାଜ୍ୟକୁ ଫେରାଇ ଆଣିବା ଅଭିଯାନ ହାତକୁ ନେଇଛନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଯେ ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ବାରା ସ୍ଥାନାନ୍ତରିତ କରିବା ମଧ୍ୟ ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ ସେବା ଦ୍ବାରା ରାଜ୍ୟକୁ ସ୍ଥାନାନ୍ତରିତ କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରମିକ ଟ୍ରେନ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଅଣାଯାଇଥିବା ସ୍ଥଳେ ବହୁ ସଂଖ୍ୟକ ପ୍ରବାସୀଙ୍କୁ ସଡକ ପଥରେ ଅଣାଯାଇଅଛି । ଆପଣମାନଙ୍କୁ ପୂର୍ବରୁ ଜଣାଇ ଦିଆଯାଇଥିଲା ଯେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଫସି ରହିଥିବା ୬୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆଙ୍କୁ ବିମାନ ଯୋଗେ ସ୍ଥାନାନ୍ତରୀଣ କରାଯାଇଅଛି । ଅଦ୍ୟ ୦୮.୦୬.୨୦୨୦ ରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ୧୮୦ ଜଣ ଓଡିଆ ପ୍ରବାସୀଙ୍କୁ ଏଆର ଏସିଆର ସ୍ବତନ୍ତ୍ର ବିମାନରେ ସ୍ଥାନାନ୍ତରଣ କରାଯାଉଅଛି ।
ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ଘ. ୧୨.୫୦ ମିନିଟରେ ଅବତରଣ କରିବ । ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଉତ୍ସର୍ଗିକୃତ ଅଧିକାରୀ ମାନଙ୍କୁ ନେଇ ଗଠିତ ଦଳ ଗୁଡିକ ସମ୍ପୃକ୍ତ ରାଜ୍ୟସରକାର ଏବଂ ଫେରି ଆସୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ବ୍ୟାପକ ଯୋଗାଯୋଗ କରି, କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରି ଫେରିଆସୁଥିବା ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କୁ ଆଣ୍ଡାମାନ ଦ୍ବୀପପୁଞ୍ଜ ଗୁଡିକର ବିଭିନ୍ନ ସ୍ଥାନରୁ ବିମାନ ବନ୍ଦରକୁ ଆଣିବାର ସମସ୍ତ ସୁବନ୍ଦୋବସ୍ଥ କରାଇଥିଲେ । ଦେଶରେ ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଅଣାଯିବା ପର୍ୟ୍ୟନ୍ତ ଏହି ଅଭିଯାନ ଜାରୀ ରହିବ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com