୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ଯେତେ କାଟିଲେ ବି ସରୁନି ଗଞ୍ଜେଇ ଗଛ । ଗୋଟିଏ ପଟେ ପୋଲିସ ରାସ୍ତାରେ ଜଗି ରହି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀକୁ କୋର୍ଟ ଚାଲାଣ କରୁଥିବା ବେଳେ ଆଉ ଗୋଟି ପଟେ ବୈପାରିଗୁଡା ବ୍ଲକର ଦୁର୍ଗମ ଅଂଚଳରୁ ଯେତେ କାଟିଲେ ମଧ୍ୟ ଗଞ୍ଜେଇ ଗଛ ଶେଷ ହେବାର ନାମ ଧରୁନି । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ ଅପରେସନ ଗ୍ରୀନ୍ କ୍ଲିନ୍ ଆରମ୍ଭ ହୋଇଥିବା ବେଳେ ଏହି ମାସକ ଭିତରେ ତିନି ରୁ ଚାରଟି ସ୍ଥାନରେ ଥିବା ଦୁର୍ଗମ,ପାହାଡ,ଜଙ୍ଗଲ ଉପରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇ ସେଗୁଡିକକୁ ପୋଡି ଦିଆଯାଇ ଥିବାର ଜଣାପଡିଛି ।
ବୈପାରିଗୁଡା ପୋଲିସ,ଅବକାରୀ ଓ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଆଗରୁ ବହୁ ସ୍ଥାନରେ ଚଢାଉ କରି ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିବାର ନଜର ରହିଛି । ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାପୁଟ ପଂଚାୟତର ସିମିଳିଅଟଳ ଗ୍ରାମ ପାଖରେ ଚଢାଉ କରି ୨୦ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଟ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ।
ଏହି ଅପରେସନରେ ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ,ଏଏସଆଇ ମତିସିଂ ନାୟକଙ୍କ ସହିତ ପୋଲିସ କର୍ମଚାରୀ, ଅବକାରୀ କର୍ମଚାରୀ ଓ ଫୋର୍ସଯବାନ ମାନେ ଉପସ୍ଥିତ ରହିଥିଲେ । ତେବେ ବୈପାରିଗୁଡା ବ୍ଲକର ଅନ୍ୟାନ୍ୟ ସ୍ଥାନରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ପ୍ଲାଣ୍ଟେସନ ସ୍ଥାନ ଗୁଡିକ ଉପରେ ନଜର ରଖାଯାଇଥିବା ବେଳେ ସେଗୁଡିକକୁ ମଧ୍ୟ ନଷ୍ଟ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।














