୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :- ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଦ୍ୟତମ ଓଡ଼ିଆ ପ୍ରବନ୍ଧ ସଂକଳନ ‘କି ସୁନ୍ଦର ଆହା କି ଆନନ୍ଦମୟ’ ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ ସାମାଜିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଖବରକାଗଜମାନଙ୍କରେ ପୂର୍ବରୁ ପ୍ରକାଶିତ ରାଜ୍ୟପାଳଙ୍କ ଆଲେଖଗୁଡ଼ିକ ଏକାଠି କରି ଏ ପୁସ୍ତକ ପ୍ରକାଶ କରିଛନ୍ତି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ । ବହିଟି ଆଜିଠାରୁ ପୁସ୍ତକମେଳାର ୯ ନମ୍ବର ଷ୍ଟଲରେ ଉପଲବ୍ଦ ହେଉଛି । ରାଜଭବନର ଅଭିଷେକ ହଲରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରକାଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ପୁସ୍ତକର ପ୍ରଥମ କପି ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଉତ୍ସବରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା ଜଣାଶୁଣା କବି ରକ୍ଷକ ନାୟକଙ୍କ ସମେତ ରାଜଭବନର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏ ଅବସରରେ ରାଜ୍ୟପାଳ ନିଜ ଓଡ଼ିଶା ଅନୁଭୂତି ବଖାଣିଥିଲେ। ସେ କହିଥିଲେ, ମୁଁ ଓଡ଼ିଶାର ବହୁ ସ୍ଥାନ ବୁଲିଛି, ୭୦୦ରୁ ଅଧିକ ସଭା, ଉତ୍ସବ ଯୋଗ ଦେଇଛି। ଓଡ଼ିଶା ଭଳି ରାଜ୍ୟ ବିଶ୍ବରେ କେଉଁଠାରେ ନାହିଁ ଓ ଏହାର ଭାଷା ଅତ୍ୟନ୍ତ ମଧୁର। ଏ ଭାଷା ମୁଁ ଖବରକାଗଜ ପଢ଼ିପଢ଼ି ଶିଖିଛି। ଓଡ଼ିଶାର ମୁଖିଆ ହେଉଛନ୍ତି ଜଗନ୍ନାଥ। ଓଡ଼ିଶାର ଅସଲ ରାଜ୍ୟପାଳ ହେଉଛନ୍ତି ଜନତା। ମୁଁ ସେଇ ଜଗନ୍ନାଥ ଓ ଜନତାଙ୍କର ସେବକ ମାତ୍ର। ମୋତେ ଓଡ଼ିଶାବାସୀ ଯେଉଁ ସ୍ନହ ଓ ଆଶୀର୍ବାଦ ଦେଇଛନ୍ତି ତାହାଠାରୁ ବଳି ସମ୍ପଦ ମୋ ପାଇଁ ଆଉ କିଛି ନାହିଁ ବୋଲି ରାଜ୍ୟପାଳ କହିଥିଲେ।ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳଙ୍କ ସହ ମତ ବିନିମୟ କରିଥିଲେ ସାମ୍ବାଦିକ ଭାସ୍କର ପରିଚ୍ଛା, ଲେଖକ ଓ ଅନୁବାଦକ ଅସିତ ମହାନ୍ତି, ଚଳଚ୍ଚିତ୍ର ବିଶେଷଜ୍ଞ ସୂର୍ଯ୍ୟ ଦେଓ, ସାମ୍ବାଦିକ କିଶୋର ଦ୍ବିବେଦୀ, ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ଲେଖକ ଚନ୍ଦ୍ରଶେଖର ଦାଶ, ଲେଖକ ଓ ସାମ୍ବାଦିକ ସୁଭାଷ ଶତପଥୀ, ସାମ୍ବାଦିକ ଗିରୀଶ ଶତପଥୀ, ଗୋପାଳପୁର ବନ୍ଦର ଉପସଭାପତି ଓ ସ୍ତମ୍ଭକାର ଜଗଦୀଶ ଚନ୍ଦ୍ର ରାଉତ, ଗାୟିକା କାବେରୀ ବେହେରା, ସାମ୍ବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ଓ ଲେଖକ କ୍ଷେତ୍ରବାସୀ ନାୟକ .