୨୬ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣା – ଜଣେ ମୃତ । ଏକ ବାଇକ୍ ସହ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କର କିଛି ହୋଇ ନାହିଁ । ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା । ତାଙ୍କୁ ୨୮ ବର୍ଷ ହୋଇଥିଲା ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରାଣୀ ପଣ୍ଡା ବିବାହ ଭୋଜିରୁ ଘରକୁ ଫେରୁଥିଲେ । ଏହି ସମୟରେ ଡାଳଖାଇ ଛକ ନିକଟରେ ତାଙ୍କ କାର୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାଇକ୍ ଆରୋହୀ ସୁକାନ୍ତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରାଣୀ ପଣ୍ଡାଙ୍କୁ ଛାଡ଼ି ନଥିଲେ । ଆଠଗଡ଼ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରାଣୀ ପଣ୍ଡାଙ୍କୁ ପୁଲିସ ଗାଡ଼ିରେ ବସାଇ ଥାନାକୁ ଆଣିଥିଲେ । ଦୁର୍ଘଟଣାରେ ରାଣୀ ପଣ୍ଡାଙ୍କ କାର୍ର ସମ୍ମୁଖ ଅଂଶଟି ଭାଙ୍ଗିରୁଜି ଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।














