୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଦମପୁର :- ଗତକାଲି ପାଇକମାଲରେ ଜଜଗଡ ଗାଁରେ ସୁନିଲ ନାମକ ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କୁ ବିଜେଡି ଦଳର ଗୁଣ୍ଡାମାନେ ମାଡ ମାରିଲେ, ତାଙ୍କ ଘରେ ଭାଙ୍ଗିଲେ । ମନ୍ତ୍ରୀ ନବ ଦାସ ଯିଏ ବିଜୁ ଜନତା ଦଳ ପାଇଁ ପାଇକମାଳ ଦାୟୀତ୍ୱରେ ଅଛନ୍ତି ତାଙ୍କର ଇଙ୍ଗିତରେ ଏହି ଆକ୍ରମଣ କରାଯାଇଥିଲା । ପାଇକମାଳ ଥାନାରେ ଏଫଆଇଆର ହୋଇଥିଲା ହେଲେ ବିଜେଡି ମନ୍ତ୍ରୀ ନବ ଦାସଙ୍କ ଇଙ୍ଗିତରେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଛାଡି ଦେଲା । ଗତକାଲି ବିଜେପି ପାର୍ଥୀ ପ୍ରଦୀପ ପୁରୋହିତଙ୍କର ଏକ ସମାବେଶ ପାଇକମାଳ ଥାନାର ପଥରେଲ ଗାଁରେ ଚାଲିଥିଲା । ସମାବେଶ ଚାଲିଥିବା ବେଳେ ବିଜୁ ଜନତା ଦଳର ଗୁଣ୍ଡାମାନେ ଆସି ମାଇକ ଛଡାଇଲେ, ଟେଂଟ ଭାଙ୍ଗିଲେ । ପ୍ରଦିପ ପୁରୋହିତଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ପ୍ରଦିପ ପୁରୋହିତଙ୍କୁ ସୁରକ୍ଷା ଦେଲେ । ସେହି ସମାବେଶରେ ଉପସ୍ଥିତ ଥିବା ବିଜେପିର କାର୍ଯ୍ୟକର୍ତ୍ତା, ସମର୍ଥକମାନଙ୍କୁ ବିଜୁ ଜନତା ଦଳର ଗୁଣ୍ଡାମାନେ ସେଠାରେ ଧମକ ଚମକ ଦେଇଥିଲେ । ଯଦି ମୋ ଉପରେ ରାଗ ଅଛି ତାହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ କର ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ ବିଜୁ ଜନତା ଦଳର ନେତା ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ପାର୍ଥୀ ଶ୍ରୀ ପୁରୋହିତ।ଶ୍ରୀ ପୁରୋହିତ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି ନିର୍ବାଚନ ଲଢିବାର, ପ୍ରଚାର କରିବାର । ପଦମପୁରରେ ଯେହେତୁ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ଦିନକୁ ଦିନ ବଢୁଛି ସେଥିପାଇଁ ବିଜୁ ଜନତା ଦଳ ସମସ୍ତ ନୀତି ନୈତିକତା ଭୁଲି ଭୟର ବାତାବରଣ କରିବା ପାଇଁ ଚାହୁଁଛି । ପଦମପୁରରେ ଏବେ ସୁଶାନ୍ତ ସିଂ, ନବ ଦାସ, ରାଜେନ୍ଦ୍ର ଢୋଲକିଆଙ୍କ ଭଳି ନେତାମାନେ ଲୋକମାନଙ୍କୁ ଭୟ, ହିଂସାର ବାତାବରଣ ଦେଖାଇ ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି ।
ଶ୍ରୀ ପୁରୋହିତ କହିଛନ୍ତି ଯେ ନିର୍ବାଚନ ପରିଚାଳନାରେ ପୋଲିସ ନିରପକ୍ଷତା ଅବଲମ୍ବନ କରୁନାହିଁ । ଶାସକ ଦଳର ସପକ୍ଷରେ ପୋଲିସ କାମ କରୁଛି । ପୋଲିସ ପ୍ରଶାସନ ନିର୍ବାଚନ ପ୍ରକିୟାରେ ନିରପକ୍ଷତା ଅବଲମ୍ବନ କରୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଂଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।