୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାଧୁତା, ସ୍ୱଚ୍ଛତା, ସତ୍ୟବାଦିତା, ନୈତିକତା, ସରଳତା ଓ ପରୋପକାରର ମୂର୍ତ୍ତିମନ୍ତ ପ୍ରତୀକ, ସାମ୍ୟବାଦୀ ଚିନ୍ତା ଓ ଚେତନାର ମହାନ୍ ପୂଜାରୀ, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ, ନିରାଡ଼ମ୍ବର, ନିଷ୍ଠାପର ଜନନାୟକ, ବିରଳ ରାଜନେତା, ଭୂଦାନ ଏବଂ ସର୍ବୋଦୟ ଆନ୍ଦୋଳନରେ ସଂପୃକ୍ତ ରହି ଏ ଦେଶ ଓ ଜାତିର ଅପର୍ଯ୍ୟାପ୍ତ କଲ୍ୟାଣ ସାଧନ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣୁ ଚୌଧୁରୀଙ୍କର ୧୨୧ତମ ଜୟନ୍ତୀ ଓଡ଼ିଶା ବିଧାନସଭା ପରିସରରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି ।
ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱର୍ଗତ ନବକୃଷ୍ଣୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଓଡ଼ିଶା ମାଟିର ଏହି ପ୍ରଥିତଯଶା ବରପୁତ୍ରଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜଙ୍ଗଲ, ପରିବେଶ , ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଜୟନ୍ତୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର, ଭୁବନେଶ୍ୱରର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

© 2023 Odisha Taza News.