୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ୧୨୩ତମ ଜୟନ୍ତୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ବିଭାଗର ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ନିକଟସ୍ଥ ଶହୀଦ ଲକ୍ଷ୍ମଣ ନାଏକ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିମୟ ପରିବେଶରେ ଏହି ଶହୀଦଙ୍କ ଜୟନ୍ତୀ ପାଳନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ,ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l
ସୁଦୂର କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲକ୍ଷ୍ମଣ ନାଏକ, ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିଥିଲେ, ଯାହା ବ୍ରିଟିଶ ଶକ୍ତିକୁ ଥରହର କରିଥିଲା । ମାଥିଲି ଗୁଳିକାଣ୍ଡରେ ବହୁ ସାଧାରଣ ଜନତା ବ୍ରିଟିଶ ଗୁଳିରେ ପ୍ରାଣବଳି ଦେଇଥିଲେ । ଲକ୍ଷ୍ମଣଙ୍କୁ ମିଛ ମାମଲାରେ ଜଡିତ କରି ଫାଶୀ ଦିଆଯାଇଥିଲା । ଫାଶୀ ପୂର୍ବରୁ ସେ କହିଥିଲେ, ଦେଶର ସ୍ୱାଧୀନତା ଆଉ ବେଶିଦିନ ଡେରି ନାହିଁ ।
ଦେଶପାଇଁ ନିଜ ଜୀବନକୁ ବଳି ଦେଇଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମ ଯୁଗେ ଯୁଗେ ଯୁବପିଢ଼ିଙ୍କୁ ଉଦବୁଦ୍ଧ କରୁଥିବ ବୋଲି ପୂର୍ବତନ ମନ୍ତ୍ରୀବିଧାୟକ ପ୍ରଫୁଲ ସାମଲ ଯୋଗଦେଇ ପ୍ରକାଶ କରିଥିଲେ l ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ,ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ,ଗିରିଜା ଶଙ୍କର ମହାପାତ୍ର,ଇଲା ସ୍ୱାଇଁ,ମନୋଜ ସ୍ୱାଇଁ,ଗୀତାଞ୍ଜଳି ସ୍ୱାଇଁ,ନୀଳମାଧବ ଦାସ,ମନମୋହନ ପଣ୍ଡା,ଭୃଗୁ ବକ୍ସିପାତ୍ର, ତୁଷାର ଦାସ,ରାଜେନ୍ଦ୍ର କୁମାର ମହାରଣା, ଶବରୀ ସାଂସ୍କୃତିକ ପରିଷଦ ସମେତ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାମ୍ବାଦିକ ଗୌର ପ୍ରସାଦ ରାଜଗୁରୁଙ୍କ ସହ ପାଞ୍ଚଜଣଙ୍କୁ ଶହୀଦ ଲକ୍ଷ୍ମଣ ନାଏକ ସ୍ମୃତି ସମ୍ମାନରେ ସମ୍ମାନିତ କରଯାଇଥିଲା l














