୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଧାମନଗରର ନିର୍ବାଚନ ଫଳାଫଳ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା ବେଳେ ବିଜେପି ପାଇଁ ବୁଷ୍ଟର ଡୋଜ୍ର କାମ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ସମଗ୍ର ଦେଶରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡିଶାରେ ଦେଖା ଦେଇଥିଲା ବ୍ୟତିକ୍ରମ । ସମସ୍ତ ଉପ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ କେବଳ କର୍ମୀ ନୁହେଁ ଭୋଟରଙ୍କୁ ମଧ୍ୟ ନିରାଶ କରିଥିଲା । ସମସ୍ତେ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲେ ଯେ ରାଜ୍ୟରେ ବିଜେଡିର ବିକଳ୍ପ ନାହିଁ ଓ ନବୀନଙ୍କ କରିସ୍ମା ଆଗରେ ସମସ୍ତେ ଫିକା ।
ଏହି ଅବଧାରଣକୁ ନେଇ ରାଜ୍ୟବାସୀ ବିଜେଡିକୁ ସମର୍ଥନ ଓଜାଡି ଦେଉଥିବା ବେଳେ ଧାମନଗର ନିର୍ବାଚନ ବିଜେପି ପାଇଁ ସଞ୍ଜିବନୀ ସଦୃଶ କାମ କରିଛି । ଦଳ ଓ କର୍ମୀଙ୍କ ଭିତରେ ଶକ୍ତି ସଞ୍ଚାର ହୋଇଛି । ନିର୍ବାଚନ ହାରିବାରେ ଅଭ୍ୟସ୍ତ ହୋଇସାରିଥିବା ରାଜ୍ୟ ବିଜେପି ଧାମନଗର ବିଜୟ ପରେ ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ବିଜୟର ବାନା ଉଡାଇବା ପାଇଁ ଅଣ୍ଟା ଭିଡି ସାରିଲାଣି । ଯଦିଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ବିଜେପି ଠାରୁ ପଦ୍ମପୁର ଆସନ ଛଡେଇ ନେଇଥିଲା । ଧାମନଗର ଓ ପଦ୍ମପୁର ଭିତରେ କିଛି ଭିନ୍ନତା ରହିଛି । ୨୦୧୪ରେ ପଦ୍ମପୁର ଆସନ ବିଜେପି କବ୍ଜାରେ ଥିଲା ।
ବିଜେପିର ପ୍ରଦୀପ ପୁରୋହିତ ବିଜେଡିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ସମୀକରଣ ବଦଳିଗଲା । ବିଜେଡିର ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫୭୩୪ ଖଣ୍ଡ ଭୋଟରେ ପରାଜିତ କରି ନିର୍ବାଚିତ ହୋଇଥିଲେ । ହେଲେ ବିଜେପିର ଏହି ପରାଜୟ ପଛର ମୁଖ୍ୟ କାରଣ ଥିଲେ ସ୍ୱାଧୀନପ୍ରାର୍ଥୀ ରାଜୁ ଘିବେଲା । ଧାମନଗର ପରି ପଦ୍ମପୁରରେ ବିଜେପିର ବାଗୀ ସାଜିଥିଲେ ରାଜୁ । ବିଜେପି ଟିକେଟ୍ ପାଇଁ ଆଶୀୟୀ ରାଜୁଙ୍କୁ ଦଳ ନିରାଶ କରିବା ପରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ପାଇଥିଲେ ୪୫୧୨ ଖଣ୍ଡ ଭୋଟ୍ । ଯାହା ବିଜେପି ପରାଜୟ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି ।
ଧାମନଗରରେ ରାଜୁ ଦାସ ଯେଉଁ ଭଳି ବିଜେଡିକୁ ହରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କଲେ ସେହିଭଳି ରାଜୁ ଘିବେଲା ପହ୍ମପୁରରେ ବିଜେପି ବିଜୟ ରାସ୍ତାରେ କଣ୍ଟା ସାଜିଥିଲେ । ଅବଶ୍ୟ ପରେ ବିଜେପିରେ ପୁଣି ସାମିଲ ହୋଇଥିଲେ । ହେଲେ ଏଥର ଉପ ନିର୍ବାଚନ ତାରିଖ ଘୋଷଣା ପରେ ସମୀକରଣ ବଦଳି ସାରିଛି । ରାଜୁ ଘିବେଲା ଏବେ ବିଜେପି କ୍ୟାମ୍ପ ଛାଡ଼ି ବିଜେଡ଼ିରେ ସାମିଲ ହୋଇସାରିଛନ୍ତି । ପ୍ରଦୀପ ପୁରୋହିତଙ୍କ ପାଇଁ ରାଜୁ ପୁଣି ଥରେ କଣ୍ଟା ସାଜିଛନ୍ତି । ୨୦୧୯ରେ ବାଗୀ ସାଜି ଯେଉଁ ଭୋଟ ହାତେଇ ନେଇଥିଲେ ଏବେ ସେହି ଭୋଟ ପୁଣି ବିଜେଡ଼ି କ୍ୟାମ୍ପକୁ ଯିବା ନିଶ୍ଚିତ । ଅର୍ଥାତ୍ ବିଜେଡ଼ି ପାଇଁ ବିଜୟୀ ହେବାର ମୁଖ୍ୟ ଅସ୍ତ୍ର ସାଜିଛନ୍ତି ରାଜୁ ଘିବେଲା ।
ଅବଶ୍ୟ ଧାମନଗରରୁ ବଳ ଗୋଟାଇ ଥିବା ବିଜେପି ପଦ୍ମପୁରର ନିର୍ବାଚନୀ ଟ୍ରାକ୍ରେ ଫୁଲ ଦମରେ ଦୌଡିବାକୁ ପ୍ରସ୍ତୁତ । ବିଜେପିର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଧାମନଗର ସଫଳତା ପରେ ପଦ୍ମପୁର ପାଇଁ ଫୁଲ୍ ଦମରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଧାମନଗର ଭଳି ବିଜେପିକୁ କଣ ଏଠି ସଫଳତା ମିଳିବ ତାହା ବଡ ପ୍ରଶ୍ନ । ସବୁ କିଛି ନିର୍ଭର କରୁଛି ପ୍ରଦୀପ ପୁରୋହିତଙ୍କ ସଂଗଠନ ଓ ବିଜେପିର ରଣକୌଶଳ ଉପରେ । ଆସନ୍ତୁ ଥରେ ନଜର ପକାଇବା ପଦ୍ମପୁରର ରାଜନୈତିକ ଇତିହାସ ଓ ବର୍ତ୍ତମାନର ଦୃଶପଟ୍ଟ ଉପରେ । ଝାରବନ୍ଦ ବ୍ଲକର ୧୪ ପଞ୍ଚାୟତ, ପଦ୍ମପୁରର ୨୨ ପଞ୍ଚାୟତ, ପାଇକମାଳର ୨୨ ପଞ୍ଚାୟତ ଓ ପଦ୍ମପୁର ଏନଏସିର ୧୧ ୱାର୍ଡକୁ ନେଇ ଗଠିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ।
ଏହା ଅଧିନରେ ରହିଛି ୮ଟି ଜିଲ୍ଲା ପରିଷଦ ଜୋନ୍ । ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ୪ଟି ଲେଖାଏଁ ଜୋନ୍ ଅକ୍ତିଆର କରିଥିବା ବେଳେ ପୌର ନିର୍ବାଚନରେ ମୋଟ୍ ୧୧ଟି ୱାର୍ଡରୁ ୭ଟି ବିଜେଡି ଓ ୪ଟି ବିଜେପି ଖାତାକୁ ଯାଇଥିଲା, ଆଉ ଏଠାରେ ଚେୟାରମ୍ୟାନ ଆସନ ବିଜେଡି ଦଖଲକୁ ଆସିଥିଲା । ଏହି ସିଟ୍ରେ ବିଜେଡି ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେପିର ପ୍ରଦିପ ପୁରୋହିତ ରାଜନୀତିରେ ଅଭିଜ୍ଞ ।ଗନ୍ଧମାର୍ଦ୍ଦନ ଆନ୍ଦୋଳନରୁ ବାହାରିଥିବା ନେତା । ଭଲ ସଂଗଠକ । ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କାର ବି ପାଇଛନ୍ତି । ତେବେ ତାଙ୍କ ସାମ୍ନାରେ ଅଛନ୍ତି ରାଜନୀତିରେ ନବାଗତା ବର୍ଷା ସିଂ ବରିହା ।
ବିଜୟ ରଞ୍ଜନ ସିଂ ବରିହାଙ୍କ ନା ବ୍ୟତୀତ ବର୍ଷାଙ୍କ ପାଖରେ ରାଜନୀତିର ଅଭିଜ୍ଞତା ନାହିଁ । ହେଲେ ବିଜେଡିର ସଂଗଠନ ଓ ନବୀନଙ୍କ ନା ବର୍ଷାଙ୍କ ପାଇଁ ବିଜୟ ଯଥେଷ୍ଟ । ଫସଲ ବୀମା ରାଶି ପାଇଁ ଚାଷୀ ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ ରାଜ୍ୟ ସରକାର ଅଡ଼ୁଆରେ ଥିଲେ । ଏହା ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତା ଆଉ ବିଜେପି ଏହାର ଫାଇଦା ଉଠାଇବାକୁ ବସିଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରି ମୁଖ୍ୟମନ୍ତ୍ରୀ ବିଜେଡ଼ି ପାଇଁ ବିଜୟର ରାସ୍ତା ସହଜ କରି ଦେଇଛନ୍ତି ।ବର୍ଷା କେଉଁଠି କାନ୍ଦି ଭୋଟ ଭିକ୍ଷା କରୁଥିବା ବେଳେ ଆଉ କେଉଁଠି ପଖାଳ ଖାଇ ମହିଳାମାନଙ୍କୁ ତରଳାଇ ବିପୁଳ ସମର୍ଥନ ନିଜ ଆଡକୁ ଆଣିବାର ପ୍ରୟାସ କରିସାରିଲେଣି l ତେବେ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ଉଠୁଛି ଅନେକ ପ୍ରଶ୍ନ ।
ପଶ୍ଚିମ ଓଡ଼ିଶାର ଝିଅ ବର୍ଷା ବିବାହ ପରେ ଉପକୂଳ ଓଡ଼ିଶାର ବୋହୂ ସାଜିଛନ୍ତି । ତେବେ ନିର୍ବାଚିତ ହେବା ପରେ ସେ ନିଜ ନିର୍ବାଚନ ମଣ୍ଡଳୀକୁ କେତେ ସମୟ ଦେବେ, ନିଜ ନିର୍ବାଚନ ମଣ୍ଡଳୀରେ ରହିବେ ନା ନିର୍ବାଚନ ମଣ୍ଡଳୀ ଭୋଟର ତାଙ୍କ ପାଖକୁ ଯିବେ ତାହା ଉପରେ ବିତର୍କ ଆରମ୍ଭ କରି ଦେଇଛି ବିଜେପି । କଂଗ୍ରେସ ତରଫରୁ ଅଭିଜ୍ଞ ନେତା ସତ୍ୟ ଭୁଷଣ ସାହୁ ଏଥର ପୁଣି ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କ ର ଭୋଟ ରହିଛି। ଯାହାକି ମୁଖ୍ୟ ପ୍ରତିଦ୍ବନ୍ଦିତା ରେ ଥିବା ପ୍ରାର୍ଥୀ ଙ୍କୁ ଅଡ଼ୁଆରେ ପକାଇବା ସମ୍ଭାବନା ରହିଛି। ତେବେ ମୁଖ୍ୟତଃ ଲଢେଇ ବିଜେପି ବିଜେଡି ମଧ୍ୟରେ ହେବ ।
ବିଜେପି ହାତରେ ବରଗଡ ଲୋକସଭା ଆସନ ଥିବାରୁ ସୁରେଶ ପୂଜାରୀ ଏହି ନିର୍ବାଚନରେ ମୁଖ୍ୟ ଭୁମିକା ତୁଲାଇବେ । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଜେଡିର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂଙ୍କ ସହ ପୁରା ବିଜେଡି ଦଳ ଏବେ ନିର୍ବାଚନ ମଇଦାନରେ । ଧାମନଗରର ଆସନରେ ଟିକେଟ୍ ବଣ୍ଟନ ନିଷ୍ପତ୍ତିରେ ସାମାନ୍ୟ ଭୁଲ ପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ଆଶା ଏଥର ବିଜେଡି ପୁରା ବଳ ଲଗାଇ ଲଢିବ। ଆଉ ବିଜେପି ଧାମନଗର ନିର୍ବାଚନର ଫଳାଫଳକୁ ଆଧାର କରି ପୁଣି ଥରେ ପଦ୍ମପୁର ଦଖଲ ପାଇଁ ନିଜର ସମସ୍ତ ବଳ ଖଟାଇବ ।
ତିନି ପ୍ରମୁଖ ଦଳ ଜନତା ଙ୍କ ପ୍ରଭାବିତ କରିବାକୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ସେମାନେ ପଦ୍ମପୁର ଜନତା କୁ ନିଜ ଦଳ ର ସମର୍ଥନ କରିବାକୁ ପ୍ରଭାବିତ କରିବେ । ଏଠାରେ ପ୍ରଶ୍ନ ଉଠୁଛି ଷ୍ଟାର ପ୍ରଚାରକ କାହିକିଁ ..? ଅତଏବ ବୁଝିବାକୁ ହେବ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିକାଶ ଦିଗରେ ଅତୀତ ର ବିଧାୟକ ମାନେ କିଛି କରିନାହାନ୍ତି। ଜନତା ଙ୍କ ଆସ୍ଥା ଭାଜନ ହେବାକୁ ସନ୍ଦିହାନ ଅଛନ୍ତି । ସବୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଜନତାଙ୍କ ଉପରେ ନିର୍ଭର କରୁଛି ଯେ ସେମାନେ କାହାକୁ ନିଜର ନେତା ବାଛିବେ..?














