୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଅନ୍ୟ ଜଣକୁ ବିବାହ କରିଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ନର୍ଲା ଥାନାରେ ଅଭିଯୋଗ ହେବାପରେ ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁର କୁଳମଣି ଭୋଇଙ୍କ ଝିଅ ପୂର୍ଣ୍ଣମୀ (୨୨)ଙ୍କୁ ମସ୍କାଗୁଡା ଗ୍ରାମର କ୍ଷିରା ବେରୁକ ପ୍ରେମ ବିବାହ କରିଥିଲେ । ବିବାହର ୧ ବର୍ଷ ସେମାନେ ସୁନ୍ଦର ଭାବରେ ଜୀବନ ଯାପନ କରିଥିଲେ ।
ତେବେ ଗତ ୩୦ ତାରିଖରେ ଦାଦନ ଖଟିବାକୁ ସ୍ବାମୀ ଓ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ପଇସା ଲୋଭରେ ବିବାହ କରିଦେଇଥିବା ଅଭିଯୋଗ ହୋଇଛି । ଏହାପରେ କ୍ଷୀରା ନିଜ ଘରକୁ ଫେରି ଆସିଥିଲେ । ଗତ ୫ ତାରିଖ ପୂର୍ଣ୍ଣିମା ଘଟଣା ବିଷୟରେ ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା କହିଥିଲା ।
ପରେ ପରେ ୬ ତାରିଖ ମଙ୍ଗଳବାର କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ପୋଲିସ ଏ ନେଇ ଏକ ମାମଲା(ନଂ ୯/୨୨) ରୁଜୁ କରିବା ସହ ୨୭୦ ଓ ୩୬୬ ଧାରାରେ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିଛି ।














