୧୧ ନଭେମ୍ବର ଶୁକ୍ରବାର ( ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :– ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ (ଆଲୁମିନି) ମାନଙ୍କ ସହିତ ପାରସ୍ପରିକ ଆଲୋଚନା ଓ ଭାବ ବିନିମୟ କରିଥିଲେ । ଏହି କାର୍ୟ୍ୟକ୍ରମରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଆଇନ୍, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗଦେଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ଅତିଥିମାନେ ପହଁଚିବା ପରେ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ପରେ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ମହୋଦୟା ଏହି ସ୍କୁଲରେ ବିଭିନ୍ନ ଜିଲ୍ଲାରୁ ଆସି ପଢୁଥିବା କେତେକ ଛାତ୍ରଛାତ୍ରୀଙ୍କ ପରିଚୟ ପଚାରି ବୁଝିଥିଲେ । ତତ୍ ସହିତ ୭ ଜଣ ପୁରାତନ ଛାତ୍ରଛାତ୍ରୀ (ଆଲୁମିନି)ଙ୍କ ପରିଚୟ ପଚାରିବାରେ ତନ୍ମଧ୍ୟରୁ ଜଣେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତର ହୋଇଛନ୍ତି, ଅନ୍ୟ ଜଣେ ରେଳ ବିଭାଗରେ ଉପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଅନ୍ୟମାନେ ଡାକ୍ତର ଓ ଇଂଜିନିୟରିଂ ଭାବେ ଅଧ୍ୟୟନରତ ଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । କେତେକ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ୱାସ ରଖି କିପରି ଆଗକୁ ବଢିହେବ, ଆପଣଙ୍କ ଜୀବନର ଅନୁଭୂତିରୁ କିଛି କୁହନ୍ତୁ,ଏହି ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ମୁର୍ମୁ କହିଲେ ଯେ, ସେତେବେଳେ ପରିସ୍ଥିତି ଆମର ଭିନ୍ନ ଥିଲା । ତାଙ୍କର ପ୍ରାଥମିକ ସ୍କୁଲ ରାଇରଙ୍ଗପୁରର ‘ଉପରବେଡା’ ସ୍କୁଲ ଥିଲା । ସେତେବେଳେ ସ୍କୁଲର ଛାତଘର ନଥିଲା । ଏବେ ତୁମେ ମାନେ ଭାଗ୍ୟବାନ ପିଲା । ବିଭିନ୍ନ ଗାଁରୁ ଆସିଥିବା ପିଲାମାନେ ସୁନ୍ଦର ପରିବେଶ ଥିବା ଏହି ବିଦ୍ୟାଳୟରେ ସବୁ ସୁବିଧା ସୁଯୋଗ ଥାଇ ଏଠାରେ ପାଠ ପଢୁଛ । ନିଜେ ଯେଉଁ ଲକ୍ଷ୍ୟ ରଖି ପାଠ ପଢୁଛ, ସେହି ଲକ୍ଷ୍ୟ ସାଧନ ପାଇଁ ଭଲ ପାଠ ପଢି ଆଗକୁ ବଢିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଦିନେ ଶିକ୍ଷୟିତ୍ରୀ ଥିଲେ ।ଆପଣ ଆଜି ଏହି ବିଦ୍ୟାଳୟକୁ ଆସିଛନ୍ତି । କିପରି ଅନୁଭବ କରୁଛନ୍ତି ..? ଉତ୍ତରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଦ୍ୟାଳୟର ପରିବେଶ ଓ ସଂପୂର୍ଣ୍ଣ ଶୈକ୍ଷିକ ବାତାବରଣକୁ ଦେଖି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସେ କହିଥିଲେ ଯେ, ତାଙ୍କର ବିଦ୍ୟାଳୟ ପ୍ରତି ଈର୍ଷା ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ତୁମମାନଙ୍କ ଉପରେ ତୁମ ବାପା ମାଆଙ୍କର ଆଶୀର୍ବାଦ ରହିଛି । ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା ତାଙ୍କର ଜେଜେମା, ତାଙ୍କର ରୋଲ ମଡେଲ ଥିଲେ ବୋଲି ପ୍ରକାଶ କରିବା ସହିତ ଭଲ ପାଠ ପଢି ନିଜ ବାପା ମା ଓ ବିଦ୍ୟାଳୟର ସୁନାମ ରଖିବାକୁ ରାଷ୍ଟ୍ରପତି ମହୋଦୟା ପରାମର୍ଶ ଦେଇଥିଲେ । ଏହି ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ, ମାନ୍ୟବର ରାଜ୍ୟପାଳ ଓ ଅନ୍ୟ ଅତିଥିମାନଙ୍କ ସହିତ ବିଦ୍ୟାଳୟରେ ବହୁ ସଂଖ୍ୟାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ଫଟୋ ଉଠାଇଥିଲେ ଓ ସେମାନଙ୍କୁ ଭଲ ପାଠ ପଢିବାକୁ କହିଥିଲେ । ଏହି କାର୍ୟ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଶୀତାଂଶୁ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଶିକ୍ଷା ବିଭାଗର ପଦାଧିକାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।