No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର ) ଭୁବନେଶ୍ୱର :- ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କଟକ ପୌର ନିଗମ (ସି.ଏମ୍.ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓ.ଏଚ୍.ପି.ସି) ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟ ଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ ।
ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍ ବୋହିବା, ମାସ ମାସ ଧରି ଫାଇଲ୍ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍ ଲୁଚାଇଦେବା, ଫାଇଲ୍ ହଜିବା ଏବଂ ଫାଇଲ୍ରେ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି । ଇ-ଅଫିସ୍ ମଧ୍ୟ ଅନ୍ଲାଇନରେ ବିଭିନ୍ନପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନ ପାଇଁ ଦକ୍ଷ କରିଛି ।
ଯେଉଁ କାର୍ଯ୍ୟାଳୟ ଗୁଡିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇନପାରିଛି ସେସବୁରେ ଇ-ଅଫିସ ଶିଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସି.ଏମ୍.ଜି.ଆଇ. ଏବଂ ଏନ୍.ଆଇ.ସି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ । ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ଓସ୍ୱାସ୍ ମାଧ୍ୟମରେ ଅଫିସ ସ୍ୱୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟ ମାନଙ୍କର ନଥିପତ୍ର ଡ଼ିଜିଟାଇଜ୍ଡ଼୍ କରିବା ସମୟସାପେକ୍ଷ ହୋଇଥିବାରୁ ଏନ୍.ଆଇ.ସି. ଏବଂ ସି.ଏମ୍.ଜି.ଆଇ.ଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍ କାର୍ଯ୍ୟାୟନ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଖୁବ୍ ସରଳ ଓ ସୁଗମ । ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି । ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଥିଲେ ଯେ ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସ୍ର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି ।
ଖୁବ୍ ଶିଘ୍ର ଆଉ ୧୦୦ ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ।
ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓ.ଏଚ୍.ପି.ସି.ର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ, ଏନ୍.ଆଇ.ସି. ଉପ ମହାନିର୍ଦ୍ଦେଶକ ଶ୍ରୀମତୀ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଳ୍ଲିକ, ସି.ଏମ୍.ଜି.ଆଇ. ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।


No Result
View All Result