ଧାମନଗର ଉପନିର୍ବାଚନ ପ୍ରଚାର ଶେଷ

ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ

ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଧାମନଗର : ଧାମନଗର ଉପନିର୍ବାଚନ ପ୍ରଚାର ସରିଲା, ଆଉ ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାରର ଶେଷ ଦିନରେ ଭୋଟରକୁ ଆକୃଷ୍ଟ କରିବାକୁ ଜୋରଦାର କସରତ କରିଛନ୍ତି ସବୁ ଦଳର ପ୍ରାର୍ଥୀ । ଗାଁ ଗାଁରେ ବାଇକ ରାଲି ସହିତ ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନରେ କମ୍ପିଲା ଧାମନଗର । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିଛି ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିଛି ଦଳ । ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଘରଘର ବୁଲି ପ୍ରଚାର କରିଛନ୍ତି ।

ସେପଟେ ଭୋଟିଂ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ । ପ୍ରତି ବୁଥକୁ ପଠାଯାଉଛି ଇଭିଏମ । କାଲି ସମସ୍ତ ବୁଥରେ ଇଭିଏମ ପହଞ୍ଚିବ । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ମତଦାତା ବାଛିବେ ନିଜର ବିଧାୟକଙ୍କୁ । ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କଠୁ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬ ଜଣ ମାଇକ୍ରୋ ଅବଜର୍ଭର, ୨ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସଏଫ୍, ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ନିର୍ବାଚନ ପାଇଁ ମୁତୟନ ହେବେ । ନଭେମ୍ବର ୩ ତାରିଖରେ ଭୋଟ ହୋଇ ୬ ତାରିଖରେ ଫଳ ପ୍ରକାଶ ପାଇବ । ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ।