ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ । ପ୍ରତ୍ୟେକ ନାଗରିକ ସାଧୁତା ଓ ସଚ୍ଚୋଟତା ପଥ ଅନୁସରଣ କରିବା ସହ ଦୁର୍ନୀତି ନିବାରଣ ପାଇଁ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବା ଆବଶ୍ୟକ ।
ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ ଏବଂ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନ ନେଇ ଶପଥ ପାଠ କରାଯାଇଥିଲା । ଅନୁରୂପ ଭାବରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଦେଶର ଏକତା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଥିଲା ।
ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାର ଆବଶ୍ୟକତା ରହିଛି । ଶପଥ ପାଠ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାସ, ଶ୍ରୀ ଗୁରୁବୀର୍ ସିଂହଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।















