ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ବିଜେପିକୁ ବିଜୟୀ କରିବ – ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା

• ଧାମନଗରର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ କଲେ ପ୍ରଚାର
• ଦୋବଲ ବଜାର,ଧାମନଗର ଏନଏସି,କୋଠାର, ଅସୁରାଳୀ ଓ ଶହୀଦ ନଗରରେ ପଦଯାତ୍ରା ଓ ଶୋଭାଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ
• ମାଆ ଓ ଯୁବ ଭୋଟରମାନେ ବିଜେପିକୁ ଭୋଟ୍ ଦେଇ ଶାସକ ଦଳର ଅହଙ୍କାର ଭାଙ୍ଗିବେ
• ବିଷ୍ଣୁ ଭାଇଙ୍କ ଲୋକପ୍ରିୟତା ଆଗରେ ଶାସକ ଦଳର ଅପପ୍ରଚାର କାମ ଦେବ ନାହିଁ
• ଧାମନଗର ଉପନିର୍ବାଚନରେ ଜନଆସ୍ଥା ବିଜେପିକୁ ବଡ଼ ବିଜୟ ଦେବ
• ପ୍ରଚାରବେଳେ ସ୍ୱାଭିମାନୀ ଧାମନଗରବାସୀଙ୍କୁ ବିପୁଳ ଜନସମର୍ଥନ ପାଇଁ ଧନ୍ୟବାଦ
• ‘ମହତାବ ସେବା ସଦନ’ ଠାରେ ମହତାବ ଏବଂ କଲାମଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ
• ‘ସାଗର ଭୂୟାଁ ଶିଶୁ ଉଦ୍ୟାନ’ରେ ସଂଗ୍ରାମୀ ସାଗର ଭୂୟାଁଙ୍କ ପବିତ୍ର ସ୍ମୃତି ପୀଠ ଓ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ଧାମନଗର/ଭୁବନେଶ୍ୱର :- ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ । ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ । ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳୀ ଓ ଶହୀଦ ନଗରରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି ଆସ୍ଥା ଅବର୍ଣ୍ଣନୀୟ । ଧାମନଗରର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି । ଆଜିର ପଦଯାତ୍ରାରେ ଦିବଙ୍ଗତ ବିଷ୍ଣୁ ସେଠୀ, ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଓ ବରିଷ୍ଠ ନେତା ମନମୋହନ ସାମଲଙ୍କ ପ୍ରତି ଥିବା ଶ୍ରଦ୍ଧା ପ୍ରତିଫଳିତ ହୋଇଛି । ବିଶେଷ ଭାବରେ ମାଆ ମାନେ ରାସ୍ତାକୁ ଆସି ଦଳ ପ୍ରତି ଆସ୍ଥାପ୍ରକଟ କରିଥିବା ବେଳେ ଯୁବଶକ୍ତି ସହଯୋଗୀ ହୋଇଛନ୍ତି ।ସ୍ୱର୍ଗତ ବିଷ୍ଣୁ ଭାଇ ଏ ଅଞ୍ଚଳର ଦରଦୀ, ପରିଶ୍ରମୀ ଓ ପାରଦର୍ଶୀ ନେତା ଥିଲେ । ତାଙ୍କର ଲୋକପ୍ରିୟତା ଓ ବିଜେପି ପ୍ରତି ଥିବା ଧାମନଗରବାସୀଙ୍କ ବିଶ୍ୱାସ ଆଗରେ ଶାସକ ଦଳର ଅପପ୍ରଚାର କାମ ଦେବ ନାହିଁ । ଧାମନଗରର ଜନତା ପୁନର୍ବାର ଭାରତୀୟ ଜନତା ପାର୍ଟିକୁ ଜିତାଇବେ ଓ ମୋଦି ସରକାରଙ୍କ ବିକାଶରେ ଭାଗିଦାରୀ ହେବେ । ରାଜ୍ୟରେ ଦୀର୍ଘ ୨୨ ବର୍ଷର ଶାସନରେ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଲୋକମାନଙ୍କ ପାଇଁ ଅନେକ ମୌଳିକ ସୁବିଧା ନାହିଁ । ଧାମନଗରର ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଶାସକ ଦଳ ପ୍ରତି ଆଉ ଜନସମର୍ଥନ ନାହିଁ । ଏଥିପାଇଁ ବିଭିନ୍ନ ଅପପ୍ରଚାର କରାଯାଇ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା କରାଯାଉଛି । ପ୍ରଜାତନ୍ତ୍ରରେ ଅହଙ୍କାର କରିବା ଠିକ୍ ନୁହେଁ । ଦୁର୍ଯ୍ୟୋଧନ ଓ ରାବଣର ଅହଙ୍କାରଙ୍କୁ ବାନର ସେନା ପରାଜିତ କରିଥିଲେ । ମାଆ ଓ ଯୁବ ଭୋଟରମାନେ ବିଜେପିକୁ ଭୋଟ୍ ଦେଇ ଶାସକ ଦଳର ଅହଙ୍କାର ଭାଙ୍ଗିବେ । ଜନଆସ୍ଥା ଦ୍ୱାରା ଏହି ଉପନିର୍ବାଚନରେ ବିଜେପିର ବଡ଼ ବିଜୟୀ ହେବ । ଅତୀତରେ ସ୍ୱାଧୀନତା ସଂଗ୍ରାମର ପବିତ୍ର କ୍ଷେତ୍ର ଧାମନଗର ପୁର୍ନବାର ଏକବିଂଶ ଶତାବ୍ଦୀରେ ନୂଆ ଇତିହାସ ରଚିବ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ଧାମନଗର ଏନଏସି ସ୍ଥିତ ‘ମହତାବ ସେବା ସଦନ’ ପରିସରରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ଏବଂ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ‘ସାଗର ଭୂୟାଁ ଶିଶୁ ଉଦ୍ୟାନ’ ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁଙ୍କ ପବିତ୍ର ସ୍ମୃତି ପୀଠ ଓ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଧାମନଗର ଯିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଚଣ୍ଡିଖୋଲ, ଧର୍ମଶାଳା, କୂଆଖିଆ, ପାଣିକୋଇଲି, ଧାମନଗର ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିହିଡି ବ୍ଲକର ପାଳିଆ ବଜାର, ଗଉମାଳା ଓ ବୋଡାକ ଠାରେ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।