ଓଟିଡ଼ିସି ପକ୍ଷରୁ ଐତିହ୍ୟସ୍ଥଳୀକୁ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଓଟିଡ଼ିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ଖ୍ୟାତନାମା ଓଡ଼ିଆ ସେଲିବ୍ରିଟି ର୍ୟାପର୍‌ ସମୀର ରିଶୁ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଓଟିଡ଼ିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ, ଏହି ଯାତ୍ରା ଓଡ଼ିଶାର କଳା,ସଂସ୍କୃତି, ଉଚ୍ଚ ପରମ୍ପରା ଆଦିକୁ ଉଜ୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ । ଆମ ରାଜଧାନୀରେ ପ୍ରସିଦ୍ଧ ସ୍ଥାପତ୍ୟ ବହନ କରୁଥିବା ମୁକ୍ତେଶ୍ୱର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଧଉଳି ଇତ୍ୟାଦି ପର୍ଯ୍ୟଟନ ଦୃଷ୍ଟିକୋଣରୁ ଅଧିକ ପରିଚିତ ଥିଲେ ମଧ୍ୟ ଏଠାରେ ଲୋକଲୋଚନକୁ ଆସିନଥିବା ବହୁ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ରହିଛି, ଯାହା ପର୍ଯ୍ୟଟକ ଓ ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିବାର ଆବଶ୍ୟକତା ରହିଛି ।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡ଼ିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଲେ ଯେ ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟକୁ କେବଳ ପର୍ଯ୍ୟଟନର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ନୁହେଁ, ବରଂ ସ୍ଥାନୀୟ ଜନସାଧାରଣଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସଂପର୍କରେ ଅବଗତ କରାଇବା ଓ ସଚେତନ କରାଇବା ନିମନ୍ତେ ଆମର ଲକ୍ଷ୍ୟ ରହିଛି । ଆଜି ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏହି ଐତିହ୍ୟ ପଦଯାତ୍ରାରେ ପଦଯାତ୍ରୀମାନେ ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,କେଦାରଗୌରୀ ମନ୍ଦିର, ଶୁକସାରୀ ମନ୍ଦିର, ବୈତାଳ ଦେଉଳ ଏବଂ ଏକାମ୍ର ବନ ପରିଭ୍ରମଣ କରିଥିଲେ । ଏହି ଐତିହ୍ୟ ପଦଯାତ୍ରାରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଆଗ୍ରହ ରଖୁଥିବା ଭୁବନେଶ୍ୱରର ୫୦ରୁ ଊଦ୍ଧ୍ୱର୍ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ । ଶ୍ରୀ ଜିତୁ ମିଶ୍ର୍ର ଏବଂ ରୋଜାଲିନ୍‌ ମିଶ୍ର ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।