ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ରାଂଚ ବିଜୟୱାର୍ଡା ଜାତୀୟ ରାଜପଥର ସରନ୍ଦାଯୋଡି ଗ୍ରାମ ପାଖରେ ଆଜି ଏକ ପେଟ୍ରୋଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ମନ୍ତ୍ରୀଆମ୍ବ ସ୍ଥିତ ୧୫୧ ବିଏନ ବିଏସ୍ଏଫ୍ ଯବାନ ମାନେ ପହଂଚି ଗାଡି ଚାଳକଙ୍କୁ ଉଦ୍ଧାର କରି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇଥିବାର ଦେଖାଯାଇଛି । ତେବେ ପାରଦ୍ୱୀପ ଠାରୁ ଏକ ପେଟ୍ରୋଲ ବୋଝେଇ ଟ୍ରକ ନଂ ଓଡି ୦୨ ସି ୯୬୫୭ ମାଲକାନଗିରି ପଟେ ଯାଉଥିବା ସମୟରେ ହିଁ ବୈପାରିଗୁଡା ଥାନା ଅଂଚଳର ସରନ୍ଧାଯୋଡି ଗ୍ରାମ ପାଖରେ ଟ୍ରକ ଓଲଟି ପଡିଛି ।
ଟ୍ରକ ଡ୍ରାଇଭର ଜଣକ ରତ୍ନାକର ଗାଡୁ ବୋଲି ସୂଚନା ମିଳିଛି । ସୌଭାଗ୍ୟବଶତଃ ଗାଡି ଡ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡିଛି । ବୈପାରିଗୁଡା ଠାରୁ ଗୋବିନ୍ଦପାଲ୍ଲୀ ପର୍ଯ୍ୟନ୍ତ ବହୁ ସ୍ଥାନରେ ଘାଟି ରାସ୍ତା ହୋଇ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡିଥିବାର ଅନୁମାନ କରାଯାଉଛି । ମାତ୍ର ଏଥିରେ କାହାର କିଛି କ୍ଷୟକ୍ଷତି ଘଟି ନଥିବା ବେଳେ ମନ୍ତ୍ରୀଆମ୍ବ ଠାରେ ଥିବା ୧୫୧ ବିଏନ ବିଏସ୍ଏଫ୍ ଯବାନ ମାନେ ଦୁର୍ଘଟଣା ସ୍ଥାନରୁ ଗାଡି ଚାଳକଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି । ବୈପାରିଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଆହାତ ଟ୍ରକ ଡ୍ରାଇଭରକୁ ଦେଖା କରିଥିବାର ଜଣାପଡିଛି ।















