ତିନି ରଥର ଚକା ଡେରା ସରିଲା : ଖୁବ୍‍ ଶୀଘ୍ର ଅଖ ଲାଗିବ – ପୁରୀ

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର ) ପୁରୀ :- ରଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ ।

ତିନି ରଥ ପାଇଁ ଆବଶ୍ୟକ ପଡୁଥିବା ଭୂଇଁ ଚଉଡା କାଠ ଆଜି ମିଲ୍‍ରୁ ଚଉପଟ ହୋଇ ଆସି ପହଞ୍ଚିଛି । ରଥ ଅମିନ ଭୋଇ ସେବକ ମାନଙ୍କ ମାଧ୍ୟମରେ ତିନି ରଥର ମୁଖ୍ୟ ମହାରଣା ମାନଙ୍କୁ ଭୂଇଁ ଚଉଡା କାଠ ଯୋଗାଇ ଦେଇଛନ୍ତି । ଉକ୍ତ କାଠକୁ ମହାରଣା ସେବକ ମାନେ ସାଲ ସହ ସେଥିରେ ବିନ୍ଧ କାମ କରୁଛନ୍ତି । ଏହି ଭୂଇଁ ଚଉଡା କାଠ ତିନିରଥ ପାଇଁ ଭିନ୍ନ ଭିନ୍ନ ଆକାରରେ ଲାଗିଥାଏ ।

ଋୂପକାର ସେବକମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ତିନି ରଥର ମହାରଣା ସେବକମାନେ ପୋଲ ଗୟଳ ଏବଂ ଛନ୍ଦା ଗୟଳର ଚଉପଟ କାମ ଜାରି ରଖିଛନ୍ତି । ଦେବଦଳନ ରଥର ବଡ ପୋଲ ଗୟଳ କାମ ଦୋଳବେଦୀରେ କରତ ସେବକ ମାନେ ସାରିଛନ୍ତି । ତାହା ଚଉପଟ ପାଇଁ ରଥ ଖଳାକୁ ଯିବ ।

ଦୋଳବେଦୀ ଠାରେ ଓଝା ସେବକ ମାନେ ଆବଶ୍ୟକ ପରିମାଣ ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିଛନ୍ତି । ଆଜି ସାକଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ସମସ୍ତ ସେବକମାନେ ସୁସ୍ଥ ଥିବା ଜଣାଯାଇଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡୁ ସେବକମାନଙ୍କର କରୋନା ପରୀକ୍ଷା ପାଇଁ ୪୦ଜଣଙ୍କର ନମୂନା ସଂଗ୍ରହ ହୋଇଛି । ଏହାଛଡା ଘଣ୍ଟୁଆ ସେବକ, ଶ୍ରୀମନ୍ଦିର ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୬୩ଜଣଙ୍କର ନମୂନା ସଂଗ୍ରହ କରାଯାଇଛି । (ରିପୋର୍ଟ /ସୋନାଲି)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com