କଟକ-ବାରବାଟୀ ବିଧାୟକ ମୋକିମଙ୍କୁ ବେଲ୍‌

ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା ।

ଦୋଷୀସାବ୍ୟସ୍ତ ଏହି ୪ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ।

୨୦୦୦ ଜୁନ୍ ୨୪ରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓଆରଏଚଡିସିରେ ୧.୫କୋଟି ଟଙ୍କାର ଋଣ ଆବେଦନ କରିଥିଲା ।

୨୦୦୦ ଜୁଲାଇ ୬ରୁ ୨୦୦୦ ଅଗଷ୍ଟ ୨୮ ମଧ୍ୟରେ ୩ଟି କିସ୍ତିରେ ଋଣ ପ୍ରଦାନ କରାଯାଇଥିଲା । ପ୍ରଥମ କିସ୍ତିରେ ଏକ କୋଟି ଟଙ୍କା, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ ଦିଆଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ଶୁକ୍ରବାର) କଟକ :- ଆଗ ଜେଲ : ପରେ ମୋକିମଙ୍କୁ ବେଲ୍‌, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି)ରେ ହୋଇଥିବା ଦୁର୍ନୀତି ମାମଲାର ବିଚାରକରି ଦୀର୍ଘ ୨୧ ବର୍ଷ ପରେ ଭୁବନେଶ୍ବର ଦୁର୍ନୀତି ନିବାରଣ (ଭିଜିଲାନ୍ସ) କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ତାଙ୍କ ରାୟରେ କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦେଶକ ଇଂ ମହମ୍ମଦ ମୋକିମ ଓ ଅନ୍ୟତମ ନିର୍ଦେଶକ ପୀୟୁଷ ମହାନ୍ତି, ଓଆରଏଚଡିସିର ତତ୍କାଳୀନ ନିର୍ଦେଶକ ବିନୋଦ କୁମାର ଏବଂ କମ୍ପାନୀ ସଚିବ ସ୍ବସ୍ତିରଞ୍ଜନ ମହାନ୍ତିଙ୍କୁ ୩ ବର୍ଷ ଲେଖାଁଏ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ।

ଏଥିସହିତ ଦୋଷୀସାବ୍ୟସ୍ତ ଏହି ୪ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡାଦେଶ ଭୋଗିବେ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ତେବେ ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇବାର କିଛି ସମୟ ପରେ ଏସଡିଜେଏମଙ୍କ କୋର୍ଟରେ ବିଧାୟକ ଶ୍ରୀ ମୋକିମ୍ ଜାମିନ ଆବେଦନ କରିବା ପରେ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ପୂର୍ବତନ ପ୍ରଶାସକ ବିନୋଦ କୁମାର ୨୦୦୦ ଜାନୁଆରୀ ୪ରୁ ୨୦୦୧ ମେ’ ୧୫ ତାରିଖ ପର‌୍ୟ୍ୟନ୍ତ ଓଆରଏଚଡିସିର ପରିଚାଳନା ନିର୍ଦେଶକ ଓ ସ୍ୱସ୍ତି ରଞ୍ଜନ ମହାପାତ୍ର କମ୍ପାନୀ ସେକ୍ରେଟେରୀ ଥିଲେ ।

୨୦୦୦ ଜୁନ୍ ୨୪ରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓଆରଏଚଡିସିରେ ୧.୫କୋଟି ଟଙ୍କାର ଋଣ ଆବେଦନ କରିଥିଲା । ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ସକାଶେ କମ୍ପାନୀ ପକ୍ଷରୁ ଋଣ ପାଇଁ ଆବେଦନ କରାଯାଇଥିଲା । ସ୍ୱସ୍ତିରଞ୍ଜନ ମହାପାତ୍ର ଆବେଦନ ଦରଖାସ୍ତକୁ ଯାଞ୍ଚକରି ଋଣ ସଂକ୍ରାନ୍ତ ପ୍ରକ୍ରିୟା ସମ୍ପାଦନ କରି ଅନୁମୋଦନ ପାଇଁ ବିନୋଦ କୁମାରଙ୍କ ନିକଟକୁ ପଠାଇଥିଲେ । ୧.୫କୋଟିର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ।

ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ୨୦୦୦ ଜୁଲାଇ ୬ରୁ ୨୦୦୦ ଅଗଷ୍ଟ ୨୮ ମଧ୍ୟରେ ୩ଟି କିସ୍ତିରେ ଋଣ ପ୍ରଦାନ କରାଯାଇଥିଲା । ପ୍ରଥମ କିସ୍ତିରେ ଏକ କୋଟି ଟଙ୍କା, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ ଦିଆଯାଇଥିଲା । ଋଣ ସଂକ୍ରାନ୍ତ ବୁଝାମଣା ଓ ଏ ସମ୍ପର୍କିତ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିର୍ଦେଶକ ଶ୍ରୀ ମହାନ୍ତି ଦସ୍ତଖତ କରିଥିଲେ । ଅନ୍ୟପକ୍ଷରେ ଓଆରଏଚଡିସିର ପରିଚାଳନା ନିର୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍‌ରେ ଦସ୍ତଖତ କରିବାର ଅଧିକାର ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା ।

ଓଆରଏଚଡିସିର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏ ସଂକ୍ରାନ୍ତ କୌଣସି କ୍ଷମତା ଦିଆଯାଇ ନଥିଲା । ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନଙ୍କ ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର‌୍ୟ୍ୟ କରିଥିଲେ । ମେଟ୍ରୋ ବିଲଡର୍ସର ଋଣ ଆବେଦନକୁ ଓଆରଏଚଡିସିର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ନିକଟରେ ଉପସ୍ଥାପନ କରାଯାଇନଥିଲା । ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା । ଆୟକର ଦାଖଲ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍‌, ଅଗ୍ନିନିରାପତ୍ତା ପ୍ରମାଣପତ୍ର ସମେତ ଋଣ ପ୍ରଦାନ ପୂର୍ବରୁ କରାଯାଯାଉଥିବା ଆବଶ୍ୟକ କାଗଜପତ୍ର ଠିକ୍ ଭାବେ ଯାଞ୍ଚ କରାଯାଇ ନଥିଲା ।

ମେଟ୍ରୋ ବିଲଡର୍ସ ପକ୍ଷରୁ ଦାଖଲ କରାଯାଇଥିବା ଏ ସଂକ୍ରାନ୍ତ କାଗଜପତ୍ର ନକଲି ଥିବା ଯାଞ୍ଚରୁ ଜଣାପଡିଥିଲା । ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ୧.୫ କୋଟି ଋଣ ଦିଆଯାଇଥିଲା । ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ । ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା । ଏହି ମାମଲାର ଭିଜିଲାନ୍ସ କୋର୍ଟରେ ଶୁଣାଣି ସରକାରୀ ପିପି ହେମନ୍ତ କୁମାର‌ ସ୍ବାଇଁଙ୍କ ଯୁକ୍ତି ଆଧାରରେ ୧୭ଟି ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରସ୍ତାବିତ କାଗଜପତ୍ର ଓ ପ୍ରମାଣ ଆଧାରରେ ୪ଜଣଙ୍କ‌ ସହ ମେଟ୍ରୋ ବିଲ୍ଡରଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଛନ୍ତି ।

ଏହି ମାମଲାରେ ପୂର୍ବରୁ ଭିଜିଲାନ୍ସ ପିୟୂଷ ଏବଂ ସ୍ବସ୍ତି ରଞ୍ଜନଙ୍କୁ ଗିରଫ କରିଥିଲା ।
କୋର୍ଟଙ୍କ ରାୟ ପରେ ବିଧାୟକ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଆରଏଚଡିସିରୁ ପୂର୍ବରୁ ୨ଥର ଋଣ ନେଇଥିଲୁ ଏବଂ ତାହାକୁ ପରିଶୋଧ କରିଦେଇଥିଲୁ । ଉକ୍ତ ୧.୫କୋଟି ଋଣ ଅର୍ଥରୁ ୧.୨୬କୋଟି ଋଣ ପରିଶୋଧ କରାଯାଇଛି । ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସ୍ଥିତିର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ଆଇଏଏସ୍ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ସରକାର ଉଦ୍ଦେଶ୍ୟମୂଳକ ଭାବେ ଫସାଇଛନ୍ତି । ଯେଉଁ କୋର୍ଟ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ମଧ୍ୟ ଜାମିନ ଦେଇଛନ୍ତି । ତେବେ ଭିଜିଲାନ୍ସ କୋର୍ଟର ରାୟ ବିରୋଧରେ ସେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।