ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଜାରି ହେଲା ନୂଆ ନିୟମ : ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ ଦେଖାଇଲେ ଫାଇନ ଦେବାକୁ ପଡ଼ିବ ନାହିଁ ।
ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଧାଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ ଦେବାରୁ ବଞ୍ଚିତ ହେବେ ଜନସାଧାରଣ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ ଦେଖାଇଲେ ଫାଇନ ଦେବାକୁ ପଡ଼ିବ ନାହିଁ । ଗାଡ଼ିର ଶେଷ ନମ୍ବର ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡ୍ଲାଇନ ୩୦ ସେପ୍ଟେମ୍ବର । ସେହିପରି ଗାଡ଼ିର ଶେଷ ନମ୍ବର ୭/୮ରେ ସରୁଥିଲେ ନଭେମ୍ବର ଓ ୯/୦ ପାଇଁ ଡିସେମ୍ବର ରଖାଯାଇଛି ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ, ଧାଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଗାଡ଼ି ଚାଳକ ଫାଇନ ଦେବାରୁ ବର୍ତ୍ତିବେ ବୋଲି କୁହାଯାଇଛି। ତେବେ ଗାଡ଼ି ଚାଳକ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇପାରିବେ। ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ନେଇ ଅନେକ ଲୋକ ସମସ୍ୟାରେ ରହିଛନ୍ତି ।
ବହୁ ଲୋକ ଆବେଦନ କରିଥିଲେ ହେଁ ଏ ପଯ୍ୟନ୍ତ ନମ୍ବର ପ୍ଲେଟ୍ ପାଉ ନ ଥିବା ବେଳେ ଅନେକ ସ୍ଲଟ ବୁକିଂ କରିବାରେ ସମସ୍ୟା ଭୋଗୁଛନ୍ତି । ଅନ୍ୟପକ୍ଷରେ ଗାଡ଼ି କିଣିବା ବେଳେ ଏଭଳି ନମ୍ବର ପ୍ଲେଟ୍ ନ ଦେଇ ଏବେ ସେମାନଙ୍କୁ ଖର୍ଚ୍ଚାନ୍ତ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ଓ ଏହାକୁ ପାଇବାରେ ହଇରାଣ ହରକତ ହେବାକୁ ପଡ଼ୁଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଛି ।















