
ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ଜୀବନ କାହାଣୀ ଉପରେ ୱେବସିରିଜ ନିର୍ମାଣର ସେ ଦୃଢ଼ ପ୍ରତିବାଦ କରିଛନ୍ତି । ଏ ନେଇ ତାଙ୍କ ସହ ଆଲୋଚନା କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଅଞ୍ଜନା କହିଛନ୍ତି ଯେ ତାଙ୍କ ଜୀବନୀକୁ ଆଧାର କରି ଏକ ୱେବସିରିଜ ନିର୍ମାଣ ହେଉଛି, ଯାହା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଏ ସମ୍ପର୍କରେ ମୋ ସହ କେହି କଥା ହୋଇନାହାନ୍ତି । ମନ ଇଚ୍ଛା ଏସବୁ କରୁଛନ୍ତି, ମୋ ଅନୁମତି ନେଇନାହାନ୍ତି । ଏମିତି କିଛି କରନ୍ତୁନି, ନ ହେଲେ ଆଇନର ଆଶ୍ରୟ ନେବି ବୋଲି ଅଞ୍ଜନା ପ୍ରକାଶ କରିଛନ୍ତି ।
ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ର ପୋଷ୍ଟର । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ମୁକ୍ତିଲାଭ କରାଯାଇଥିବା ଏହି ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି । ନିର୍ମାଣାଧୀନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତ୍ତି ଉଠାଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ମୁକ୍ତିଲାଭ କରିବା ପରେ ନୂଆ ବିବାଦ ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ ପରିଜା ସାମାଜିକ ଗଣମାଧ୍ୟମରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି ।
ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତ୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶ୍ରଙ୍କୁ ଇଙ୍ଗିତ କରୁଥିବାରୁ ଫିଲ୍ମର ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଅକ୍ଷୟ ପରିଜା କହିଛନ୍ତି ଯେ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ । କାହାର ଜୀବନୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇନାହିଁ ।














