ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ବୁଧବାର ) ଖୋର୍ଦ୍ଧା-ଜଟଣୀ :- କମିଶନରେଟ ପୋଲିସ ଅନ୍ତର୍ଗତ ଜଟଣୀ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଚୋରି, ରାହାଜାନୀ, ଛିନତାଇ,ବୋମାମାଡ଼,ହତ୍ୟା ଉଦ୍ୟମ ଓ ରେପ ଭଳି ସଙ୍ଗିନ ମାମଲାରେ ସମ୍ପୃକ୍ତ ଦୁଇ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬ଟି ଦାମୀ ମଟରସାଇକଲ ଓ ଗୋଟିଏ ଦାମୀ ମୋବାଇଲ ଫୋନ ଜବତ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ ଗତ କିଛିଦିନ ତଳେ ଜଟଣୀ ମଧୁସୂଦନ ନଗର ଅଞ୍ଚଳରୁ ସୁରେନ୍ଦ୍ର ଭୁଜବଳଙ୍କ ଏକ ବୋଲେରୋ ଗାଡ଼ି ଚୋରି ଯିବା ଘଟଣାକୁ ନେଇ ଜଟଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଉକ୍ତ ଗାଡିକୁ ଉଦ୍ଧାର କରିଥିଲେ ମଧ୍ୟ ଏହି ଚୋରି ଘଟଣାରେ ସମ୍ପୃକ୍ତ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଆକବର ଙ୍କ ପୁଅ ମହମ୍ମଦ ମୁସ୍ତାକ ଓ ଧ୍ରୁବ ପାଲଟାସିଂ ଙ୍କ ପୁଅ ବିଶ୍ଵଜିତ ପାଲଟାସିଂ ପୋଲିସକୁ ଚକମା ଦେଇ ଖସି ଯାଇଥିଲେ ।
ଜଟଣୀ ପୋଲିସ ସେହିଦିନ ଠାରୁ ଖୋଜି ଖୋଜି ଆଜି ଏହି ଦୁଇ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି । ଏହି ଦୁଇ ଅପରାଧିଙ୍କ ମଧ୍ୟରେ ମୁସ୍ତାକ ନାମରେ ୧୫ଟି ଓ ବିଶ୍ଵଜିତ ନାମରେ ୭ଟି ବୋମାମାଡ଼, ଅପହରଣ,ଡକାୟତି, ଚୋରି ଓ ରେପ ଭଳି ସଙ୍ଗିନ ମାମଲା ରହିଛି ।
ଜଟଣୀ ପୋଲିସ ଏବେ ଉପରୋକ୍ତ ଥାନା ବାଦ ଆଉ କୋଉ ଅଞ୍ଚଳରେ ଏମାନେ ଅପରାଧ କରିଛନ୍ତି ତାର ଅନୁସନ୍ଧାନ ଜାରି ରଖିଛି । ଗିରଫ ପରେ ପୋଲିସ ଏମାନଙ୍କ ଠାରୁ ଦୁଇଟି ୟାମାହା R15,ଗୋଟିଏ TVS ଆପାଚି,ପଲସର 150 ,ଗୋଟିଏ 220 ଗୋଟିଏ ଏବଂ ୟାମାହା RX100 ଭଳି ଦାମୀ ରେସିଙ୍ଗ ମଟର ସାଇକେଲ ସହିତ ଗୋଟିଏ ଦାମୀ ମୋବାଇଲ ଫୋନ ଜବତ କରିବା ସହ ଅଭିଯୁକ୍ତ ଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରିଛି ଏବଂ ଏମାନଙ୍କ ଅଧିକ ଅପରାଧ ତାଲିକାର ଅନୁସନ୍ଧାନ ଜାରି ରଖିଛି ।

© 2023 Odisha Taza News.