No Result
View All Result
ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ବିଭିନ୍ନ ପଦକ୍ଷେପ
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟ କ୍ଷେତ୍ରରେ ଆମ ଦେଶର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ । ଆମ ରାଜ୍ୟରେ ମଧ୍ୟ ଏହି ସ୍ଥିତି ଚିନ୍ତାଜନକ ଅଟେ । ଏଥି ପାଇଁ ବ୍ୟାପକ ସଡ଼କ ସୁରକ୍ଷା ସଂପର୍କିତ ସଚେତନତା, ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତା ମରାମତି ଇତ୍ୟାଦିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ବୈଠକରେ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଏନ୍ସିସି କ୍ୟାଡେଟ୍ମାନଙ୍କୁ ସଂଶ୍ଳିଷ୍ଟ କରି ସଡ଼କ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଦୁଇ ଚକିଆ ଯାନଚଳକଙ୍କ ନିମନ୍ତେ ହେଲ୍ମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ସହର ମଧ୍ୟକୁ ଭାରୀଯାନ ଚଳାଚଳ ଉପରେ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏଥି ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜାତୀୟ ରାଜପଥ ନିର୍ମାଣ ଏବଂ ମରାମତି ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ, ମଙ୍ଗୁଳି ଛକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ିଚାଳନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ରାସ୍ତା ନିର୍ମାଣ ଓ ମରାମତି ସଂପର୍କିତ ଗୁଣବତ୍ତା ଉପରେ ଗୁରୁତ୍ୱ, ଆସନ୍ତା ଅକେଫାବର ମାସରୁ ଗାଡ଼ି ପଛରେ ନାଲି ଆଲୁଅ ଅଥବା ରିଫ୍ଲେକ୍ଟିଭ୍ ଟେପ୍କୁ ବାଧ୍ୟତାମୂଳକ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପୋଲିସ କମିଶନରଙ୍କୁ ଯାନ ଯୋଗାଇଦେବା, ଭୁବନେଶ୍ୱର-କଟକ ରାସ୍ତାରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାର ପ୍ରଚଳନ ଆଦି ବିଷୟ ନେଇ ବିସ୍ତୃତ ଆଲୋଚନା ହେବା ସହ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବୁ୍ୟରୋ ଶ୍ରୀ ବିନୟତୋଷ ମିଶ୍ର, ପରିବହନ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଶ ପଟ୍ଟନାୟକ, ଟ୍ରକ୍ ଏବଂ ବସ୍ ମାଲିକ ସଂଘର କର୍ମକର୍ତ୍ତା ଏବଂ ପରିବହନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


No Result
View All Result