No Result
View All Result
ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ କ୍ଷେତ୍ର ପରିଦର୍ଶନ କରନ୍ତୁ-ମନ୍ତ୍ରୀ ପୁରାତନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଓ ନୂତନ ପ୍ରକଳ୍ପ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ ।
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହିତ ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି l ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସଂପୃକ୍ତ ଅଂଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ , ଜନପ୍ରତିନିଧି ଓ ପାଣିପଂଚାୟତ ସହିତ ଆଲୋଚନା କରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ସମୀକ୍ଷା ବୈଠକରେ ୨୦୨୧-୨୨ ବର୍ଷରେ ରବି କାର୍ଯ୍ୟକ୍ରମ ପାଇଁ ଜଳସେଚନ, କେତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି ତାହାର ସମୀକ୍ଷା କରିବା ସହ ୨୦୨୨-୨୩ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଷଦ୍ ଭାବେ ଆଲୋଚନା କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୩୫ ଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ପ୍ରାଶାସନିକ ଅନୁମୋଦନ ସରିଛି ଓ ଅନ୍ୟ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ବିଚାରାଧୀନ ଅଛି ।
ରାଜ୍ୟରେ ୨୭୪୧ ଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ଜିଓ-ଟ୍ୟାଗିଂ କରାଯାଇ ଏହାର ପ୍ରମୁଖ ଆବଶ୍ୟକତା ସଂପର୍କରେ ‘ଆମ ଜଳାଶୟ ପୋର୍ଟାଲ’ରେ ସୂଚନା ଅଧୁନାତନ କରିବାକୁ ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓରସାକ୍)କୁ ତଥ୍ୟ ଦିଆଯାଇଛି । ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା, କେନାଲ ଲାଇନିଂ ଓ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ବନ୍ଧ ସୁରକ୍ଷା ଓ ଉନ୍ନତିକରଣ ଆଦି ପାଇଁ ବ୍ୟୟ ବରାଦ ଓ ଧାର୍ଯ୍ୟଲକ୍ଷ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେହିପରି ବୈଠକରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଡ୍ୟାମ୍ ଉନ୍ନତିକରଣ ଯୋଜନା, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କୃଷି ଉପଯୋଗୀ ସହନଶୀଳ ଓଡିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଚାଷ ପାଇଁ ଜଳର ଆବଶ୍ୟକତା ରହିଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି l ଦଳଗତ ପ୍ରଚେଷ୍ଟାରେ ସ୍ୱଚ୍ଛତା ବଜାୟ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ l ପ୍ରସ୍ତାବ ଦିଆଯାଉଥିବା ନୂଆ ପ୍ରକଳ୍ପଗୁଡିକୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ଜ୍ଞାତସାରକୁ ଅଣାଗଲେ, ପ୍ରକଳ୍ପର ବାସ୍ତବ ସ୍ଥିତି ଜଣାଯିବା ସହ କାର୍ଯ୍ୟକାରିତା ବେଳେ ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଡିଭିଜନର ମୁଖ୍ୟାଳୟରେ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ କ୍ଷେତ୍ରସ୍ତରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନେ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।


No Result
View All Result