ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ପୂର୍ବାହ୍ଣରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲମୀ) , ପ୍ରତାପନଗରୀ, କଟକ ଆନୁକୂଲ୍ୟରେ ପ୍ରକାଶିତ ପାଣି ପଞ୍ଚାୟତ ସମାଚାର ପତ୍ରିକାର ଶୁଭ ଉନ୍ମୋଚନ କରିଛନ୍ତି । ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷର ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ପତ୍ରିକାର ଉନ୍ମୋଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଜଳ ସଂପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକମାନଙ୍କ ପାଇଁ ସୂଚନା ପ୍ରଦାନ ଓ ଓ୍ୱାଲମୀ ଜରିଆରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି ।
ଏହି ପତ୍ରିକା ଚାଷୀଭାଇମାନଙ୍କ ପାଖରେ ସୂଚନା ପହଁଚିବାର ପ୍ରମୁଖ ମାଧ୍ୟମ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯିବାରେ ତୃଣମୂଳସ୍ତରରେ ପହଁଚାଇବା ପାଣିପଂଚାୟତ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଚଳିତ ପାଣି ପଂଚାୟତ ସମାଚାର ପତ୍ରରେ ବିଭିନ୍ନ ପାଣି ପଞ୍ଚାୟତର ସଫଳ କାହାଣୀ, କୃଷି ଓ ଜଳସେଚନ ସମ୍ବନ୍ଧୀୟ ସରକାରୀ ଯୋଜନା, ଜଳ ସମ୍ପଦ ବିଭାଗରେ 5-ଟି ଓ ମୋ ସରକାର କାର୍ଯ୍ୟାନ୍ୱୟନ ଆଦି ସଂପର୍କରେ ପ୍ରକାଶ ପାଇଛି ।
କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କୃଷକମାନଙ୍କୁ ପ୍ରଶିକ୍ଷଣ ଜରିଆରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ପ୍ରମୁଖ ଯୋଗଦାନ ଦେଉଥିବା ଓ୍ୱାଲମୀ ଅନୁଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପ୍ରକାଶ କରିଥିଲେ । ଜଳ ସଂପଦ ବିଭାଗ ଏବଂ ଓ୍ୱାଲମୀ ସହଯୋଗରେ 2000 ମସିହାରୁ 20 ବର୍ଷ ଧରି ପ୍ରକାଶିତ ଏହି ସମାଚାର ପତ୍ର ରାଜ୍ୟରେ ପାଣି ପଞ୍ଚାୟତ ଯୋଜନାକୁ ଲୋକାଭିମୁଖୀ ତଥା ଦୀର୍ଘସ୍ଥାୟୀ କରିବା ଲକ୍ଷ୍ୟରେ ପ୍ରକାଶିତ ହେଉଥିବା ଓ୍ୱାଲମୀର ନିର୍ଦ୍ଦେଶକ ଇଂ. କୃଷ୍ଣଚନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ ।
ଓ୍ୱାଲ୍ମୀ ଜରିଆରେ ଅଦ୍ୟାବଧି 1ଲକ୍ଷ 60 ହଜାର କୃଷକ ତଥା ପାଣି ପଞ୍ଚାୟତ କର୍ମୀମାନେ ପ୍ରଶିକ୍ଷଣ ନେଇସାରିଥିବା ଏବଂ ପ୍ରତିବର୍ଷ ପ୍ରାୟ 20ରୁ 25 ହଜାର ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଉଥିବା ସଂପର୍କରେ ଇଂ ମହାନ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭୀଗର ସମସ୍ତ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ଓ୍ୱାଲମୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.