ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ଗୁରୁବାର ) କଳାହାଣ୍ଡି :- ନଇ ମଝିରେ ଫସିଥିବା ଗ୍ରାମବାସୀଙ୍କୁ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ କଳାହାଣ୍ଡି ଜିଲ୍ଲା ଗୁଞ୍ଜମାଳି ଗ୍ରାମର ପ୍ରାୟ ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ବାରିଆହାଟକୁ ହାଟ କରିବା ପାଇଁ ଯାଉଥିଲେ । ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ହଠାତ ମଝି ନଇରେ ଅଟକିଯାଇଥିଲା । ଏଥିରେ ଭୟବୀତ ହୋଇ ଡଙ୍ଗାରେ ରହିଥିବା ଗ୍ରାମବାସୀ ପ୍ରାଣବିକଳରେ ଆର୍ତଚିତ୍କାର କରିବାକୁ ଲାଗିଲେ ।
ସୌଭାଗ୍ୟବସତଃ ଏହି ସମୟରେ ବାରିଆହାଟ ଘାଟିଠାରେ ନିୟୋଜିତ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନେ ଗ୍ରାମବାସୀଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ଯାହାପରେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ ସାରଙ୍ଗ -ଗୱାଲା ଜଗାରାଓ, ବୋଟ ଡ୍ରାଇଭର ଅଭୟ କୁମାର ଭୋଳ,
ଇଏମଟି ଟିପେନ୍ଦ୍ର ସା ଏବଂ ମାଝୀ ଗୋବିନ୍ଦ ରାଉତ ବୋଟ ଆମ୍ବୁଲାନ୍ସ ଯୋଗେ ଯାଇ ସେହି ସମସ୍ତ ଗ୍ରାମବାସୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ବିପତି ସମୟରେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ସାହସିକତା କାର୍ଯ୍ୟ ପାଇଁ ଆଜି ୨୫ଜଣ ଗ୍ରାମବାସୀଙ୍କ ଜୀବନ ବଂଚିଯାଇପାରିଛି । ବାସ୍ତବରେ ସେମାନଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।