No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶନିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଚୋରା ବାଇକ ରାକେଟର ପର୍ଦ୍ଦାଫାସ କରିବା ସହ ୫୧ ଗୋଟି ଚୋରା ବାଇକ ଉଦ୍ଧାର କରିଛି ପୋଲିସ ଏବଂ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ଆଜି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ମୁତାବକ, ଗତକାଲି ସଂନ୍ଧ୍ୟାରେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଘଡୁଆଳ ଛକରେ ଏଏସଆଇ ସିମାଞ୍ଚଳ ସ୍ୱାଇଁ ମଟରସାଇକେଲ ଯାଞ୍ଚ କରୁଥିବା ବେଳେ ହଠାତ ବିନା ହେଲମେଟରେ ଦୁଇ ଜଣ ବାଇକ ଚାଳକ ପୋଲିସ ନିକଟରେ ଫଞ୍ଚିଥିଲେ ଏବଂ ପୁନଶ୍ଚ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ପୋଲିସ ଉଭୟ ବାଇକକୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲା ଏବଂ ଗାଡିର କାଗଜପତ୍ର ମାଗିଥିଲା ।
ଉଭୟ ବାଇକ ଚାଳକ କାଗଜପତ୍ର ଦେଖାଇବାକୁ ସକ୍ଷମ ହୋଇନଥିଲେ ଏବଂ ପୋଲିସକୁ ନାନା ପ୍ରକାର ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲେ । ତେବେ ବାରମ୍ବାର ପଚରାଉଚୁରା ପରେ ଉଭୟ ବାଇକ ଚୋରା ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହି ପରିପ୍ରେକ୍ଷୀରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଗୋଟି ବାଇକ ଜବତ କରିଥିଲା । ଅଭିଯୁକ୍ତ ଦ୍ବୟ ହେଲେ କଟକ ଜିଲ୍ଲା ନିଆଳି ଥାନା ମଝିଆଖଣ୍ଡ ଗ୍ରାମର ଅନିଲ ସାହୁ (୩୬) ଓରଫ ବୁଲୁ ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗୁଣ୍ଡୁରିସାହିର ଋତୁରାଜ ଦୀପ(୨୪) । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଆଇଆଇସି କେସ ନମ୍ବର ୧୪୯/୨୨ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଥିଲେ । ତେବେ ପଚରାଉଚୁରା ବେଳେ ସାଙ୍ଘାତିକ ତଥ୍ୟ ପାଇଥିଲା ପୋଲିସ । ଉଭୟ ଅଭିଯୁକ୍ତ ପାଖାପାଖି ୫୦ ରୁ ଉର୍ଦ୍ଧ୍ଵ ବାଇକ ଚୋରି କରି ବିଭିନ୍ନ ସ୍ଥାନରେ ବିକ୍ରି କରିଥିବାର ପୋଲିସ ସାମ୍ନାରେ ସ୍ୱୀକାର କରିଥିଲେ ।
ତେଣୁ ଏହାକୁ ଏସପି ଅଲେଖ ଚନ୍ଦ୍ର ପହି ଗୁରୁତର ସହ ନେଇଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ସଙ୍ଗେସଙ୍ଗେ ପାଞ୍ଚ ଗୋଟି ଟିମ ତିଆରି କରାଯାଇ ବିଭିନ୍ନ ସ୍ଥାନକୁ ପଠାଇଯାଇଥିଲା । ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ଜିଲ୍ଲାର ଏକାଧିକ ଦୁର୍ଗମ ଅଞ୍ଚଳକୁ ଯାଇ ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ଅଧିକାରିମାନେ ପରିଶେଷରେ ନିଆଳି ଅଞ୍ଚଳରୁ ୧୦ ଗୋଟି, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରୁ ୧୦ ଗୋଟି, ଟାଙ୍ଗୀ, ଚାନ୍ଦପୁର, ବାଣପୁର ଅଞ୍ଚଳରୁ ୧୩ ଗୋଟି, ମାଲୁଦ ଓ ପୁରି ଅଞ୍ଚଳରୁ ୧୦ ଗୋଟି ଏବଂ ଧଳାପଥର ଅଞ୍ଚଳରୁ ୬ ଗୋଟି ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିବା ସହ ୩ ସହଯୋଗୀଙ୍କୁ ଗିରଫ କରିଛନ୍ତି । ତେବେ ଉକ୍ତ ଘଟଣାରେ ସମୁଦାୟ ୫୧ ଗୋଟି ଚୋରା ବାଇକ ଓ ସ୍କୁଟି ଉଦ୍ଧାର ହେବା ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଏସପି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଅନିଲ ସାହୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବାର ଜଣାପଡିଛି ।
ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୮ ଗୋଟି ଅପରାଧିକ ମାମଲା ରହିଛି, ଯେଉଁଥିରେ ୧୦ ଗୋଟି ଚୋରି, ଡକାୟତି ଓ ମରଣାନ୍ତକ ଆକ୍ରମଣ ଆଦି ମାମଲାର ୱାରେଣ୍ଟ ଜାରି ହୋଇଛି । ଉକ୍ତ ଅଭିଯୁକ୍ତ ମାନେ ବାଇକ ଗୁଡିକୁ ଚୋରି କରି ଶସ୍ତା ଦାମରେ ବିକ୍ରି କରୁଥିଲେ । ସେହିପରି ଭାବେ କେତେକ ଅଭିଯୁକ୍ତ ଚୋରା ବାଇକ ସାହାଯ୍ୟରେ ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପରେ ଲିପ୍ତ ରହୁଥିବାର ପୋଲିସ ସନ୍ଦେହ କରୁଛି । ତେବେ ସମସ୍ତ ଚୋରା ବାଇକ ସମ୍ପର୍କରେ ବିଭିନ୍ନ ଥାନାଗୁଡିକୁ ସୂଚନା ଦିଆଯାଇଛି ଏବଂ ସମସ୍ତ ଗାଡ଼ିମାଲିକ ଆସିବା ପରେ ଗାଡ଼ିଗୁଡିକର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି । ନୟାଗଡ ପୋଲିସର ଏପରି କାର୍ଯ୍ୟ ନୁଷ୍ଠାନ ନିମନ୍ତେ ଏସପି ଏବଂ ଟିମକୁ ଜନସାଧାରଣ ମାନେ ଭୂୟାଁସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

No Result
View All Result