No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା । ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ । ଆଜି ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକମାନଙ୍କର ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ଆଲୋଚନା ହୋଇଛି ା
ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ଏବଂ ଆବଶ୍ୟକ ସ୍ଥଳେ କମିଟି ଅନ୍ୟାନ୍ୟ ରାଜ୍ୟର ବିଧାନସଭା ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବିଷୟରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଆଜିର ଏହି ବୈଠକରେ ବିଜେପି ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ. ନୃସିଂହ ଚରଣ ସାହୁ ଏବଂ ଶ୍ରୀ ମକରନ୍ଦ ମୁଦୁଲିଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

No Result
View All Result