No Result
View All Result
1. ଇଡ୍କୋ ୨୩ଟି ନୂଆ ଶିଳ୍ପ ପାର୍କ ସ୍ଥାପନ କରିବ, ତିନି ବର୍ଷରେ ୬୦୦ କୋଟି ଖର୍ଚ୍ଚ ହେବ
2. ଶିଳ୍ପ ସଂସ୍ଥାଙ୍କ ପାଇଁ ବିଦ୍ୟୁତ ଡିସ୍କମ୍ ସ୍ୱତନ୍ତ୍ର ଏମ୍ଏସ୍ଏମ୍ଇ ସେଲ୍ ସ୍ଥାପନ କରିବେ
3. ଓସ୍ମି ପକ୍ଷରୁ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ର ଉଦ୍ଘାଟନ ସହ ୩୬ତମ ପ୍ରତିଷ୍ଠା ଦିବସ ପାଳନ
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ନାଲ୍କୋ ଓ ବେଦାନ୍ତ ସହଯୋଗରେ ରାଜ୍ୟ ସରକାର ଯଥାକ୍ରମେ ଅନୁଗୁଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ସ୍ଥାପନ କରୁଛନ୍ତି ଯାହା କାମ ଜାରି ରହିଛି । ଏହା ବ୍ୟତୀତ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ଟି ଶିଳ୍ପ ପାର୍କ ସ୍ଥାପନ କରିବାର ଦାୟିତ୍ୱ ଇଡ୍କୋକୁ ଦିଆଯାଇଛି ଓ ସେଥିପାଇଁ ଇଡ୍କୋକୁ ଆସନ୍ତା ତିନି ବର୍ଷରେ ୬୦୦ କୋଟି ଟଙ୍କା ଆବଂଟନ କରାଯିବ ।
ଜିଲ୍ଲା ସ୍ତରରେ ଶିଳ୍ପର ବିକାଶ ପାଇଁ ଜିଲ୍ଲା ଶିଳ୍ପ ବିକାଶ ଏଜେନ୍ସି (ଦୀପା) କାମ କରୁଛି ଯାହାର ଅଧ୍ୟକ୍ଷତା କରୁଛନ୍ତି ଜିଲ୍ଲାପାଳ । ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପ୍ରତିବଦ୍ଧ ରହିଛନ୍ତି ଓ ସେଥିପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରୁଥିବା ସେ କହିଛନ୍ତି । ଓଡ଼ିଶା ଆସେମ୍ବଲି ଫର ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜନତା ମୈଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍- ୨୦୨୨ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶିଳ୍ପ ପାର୍କ ପ୍ରତିଷ୍ଠା ବ୍ୟତୀତ ରାଉରକେଲା ଓ ମାଲକାନଗିରିକୁ ଯୋଡ଼ୁଥିବା ବିଜୁ ଏକ୍ସପ୍ରେସ୍ ୱେ ପାଶ୍ୱର୍ବର୍ତୀ ଅଂଚଳରେ ଇଡ୍କୋ ପକ୍ଷରୁ ୧୧ଟି ଶିଳ୍ପ କରିଡର ମଧ୍ୟ ସ୍ଥାପନ କରାଯାଉଛି ।
ଅନୁନ୍ନତ ଅଂଚଳରେ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ଖୁବ୍ଶୀଘ୍ର ଏକ ପ୍ରୋତ୍ସାହନ ଯୋଜନା ଘୋଷଣା କରିବା ଉପରେ ବିଚାର କରୁଛନ୍ତି ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଂଜନା ଚୋପ୍ରା କହିଛନ୍ତି ଯେ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ସମ୍ପର୍କିତ ସମସ୍ୟାକୁ ଶୁଣିବା ଲାଗି ରାଜ୍ୟର ସବୁ ବିଦ୍ୟୁତ ବିତରଣକାରୀ କଂପାନି (ଡିସ୍କମ୍)ଗୁଡ଼ିକୁ ସ୍ୱତନ୍ତ୍ର ଏମ୍ଏସ୍ଏମ୍ଇ ସେଲ୍ ସ୍ଥାପନ କରିବାକୁ କୁହାଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକର ଏହି ସମସ୍ୟା ସମ୍ପର୍କରେ ଆମେ ଯାଜପୁରର କଳିଙ୍ଗନଗରରେ ଠାରେ ଆୟୋଜନ କରାଯାଇଥିବା ଇଣ୍ଡଷ୍ଟ୍ରି କେୟାର ବୈଠକ ବେଳେ ଜାଣିବାକୁ ପାଇଥିଲୁ ।
ଏହିଭଳି ଅନେକ ପ୍ରକାର ପଦକ୍ଷେପ ଜରିଆରେ ସରକାର ସବୁ ଜିଲ୍ଲାର ପ୍ରମୁଖ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସହ ସମ୍ପର୍କରେ ରହିଛନ୍ତି ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ ପ୍ରାୟ ୯୫% ସଂସ୍ଥା ଅଣୁ ସ୍ତରରେ ରହିଛନ୍ତି ଯେଉଁମାନଙ୍କ ନିଯୁକ୍ତି ସୃଷ୍ଟି ପ୍ରତି ଯୋଗଦାନ ଆଦୌଁ ଉତ୍ସାହଜନକ ନୁହେଁ । ସେମାନେ କିଭଳି ଅତିିକମ୍ରେ କ୍ଷୁଦ୍ର ସଂସ୍ଥାରେ ରୂପାନ୍ତରିତ ହେବେ ତାହା ସରକାର ଚାହୁଁଛନ୍ତି ଓ ସେଥିପାଇଁ ଦରକାର ସବୁ ପ୍ରକାର ସୁବିଧା ସୁଯୋଗ ଯଥା ପାଣ୍ଠି, ମାର୍କେଟିଂ ସୁବିଧା ଆଦି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି । ଓସ୍ମିର ମହାସଚିବ ଶ୍ରୀଯୁକ୍ତ ସାତ୍ୱିକ ସ୍ୱାଇଁ କହିଛନ୍ତି ଯେ କଟକର ଚୌଦ୍ୱାରରେ ୩୦ କୋଟି ଟଙ୍କା ନିବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମେ ପୂର୍ବ ଭାରତର ସର୍ବବୃହତ ଇଞ୍ଜିନିୟରିଂ କମନ ଫାସିଲିଟି ସେଂଟର ସ୍ଥାପନ କରିବାକୁ ଯାଉଛୁ ଯେଉଁଥିପାଇଁ ସରକାର ଆମକୁ ୬ ଏକର ଜମି ଦେଇଛନ୍ତି ।
ଏହା ବ୍ୟତୀତ ଇରାନ ସହ ଦ୍ୱିପାକ୍ଷିକ କାରବାର ବଢ଼ାଇବା ଲାଗି ଓସ୍ମି କାର୍ଯ୍ୟାଳୟରେ କିଛି ମାସ ପୂର୍ବରୁ ଇଣ୍ଡୋ-ଇରାନ ଟ୍ରେଡ୍ ସେଂଟର୍ ମଧ୍ୟ ଖୋଲାଯାଇଥିବା ସେ କହିଛନ୍ତି । ଏହି ଅବସରରେ ଓସ୍ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର, ପି କେ ଗୁପ୍ତା, ଜଏଂଟ ଡାଇରେକ୍ଟର ଏବଂ ଏଚ୍ଓଓ, ଏମ୍ଏସ୍ଏମ୍ଇ-ଡିଏଫଓ, ଭାରତ ସରକାର, କଟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ବିଜେତାମାନଙ୍କୁ ଓସ୍ମି ପୁରସ୍କାର ପ୍ରଦାନ କରିଥିଲେ ଏବଂ ଓସ୍ମି ସ୍ମରଣିକା ୨୦୨୨କୁ ଉନ୍ମୋଚନ କରିଥିଲେ । ଜାତୀୟ ସ୍ତରର ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଯାହା ଆଜିଠାରୁ ଆରମ୍ଭ ହୋଇଛି ତାହା ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଚାଲିବ ।
ଏଥିରେ ସାରା ଭାରତର ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ୪୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏକ ବହୁଦେଶୀୟ କଂପାନି ମଧ୍ୟ ଏଥିରେ ଯୋଡ଼ି ହୋଇଛି । ଓଡ଼ିଶାରୁ ୧୦୦ରୁ ଅଧିକ ଏସ୍ଏମ୍ଇ ମଧ୍ୟ ଏହି ପ୍ରଦର୍ଶନରେ ଯୋଗ ଦେଇଛନ୍ତି । ଓଡ଼ିଶାରେ ଆୟୋଜନ କରାଯାଇଥିବା ଏହି ପ୍ରଥମ ଧରଣର ପ୍ରଦର୍ଶନୀ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ନିଜର ଉତ୍ପାଦ ଓ ସେବାକୁ ପ୍ରଦର୍ଶିତ କରିବା ଏବଂ ପରସ୍ପର ସହ ଯୋଡ଼ି ହୋଇ ଚିନ୍ତାଧାରାର ଆଦାନପ୍ରଦାନ କରିବା ଲାଗି ଏହା ଏକ ଉପଯୁକ୍ତ ମଂଚ ସଦୃଶ । ରାଜ୍ୟର ଏମ୍ଏସ୍ଏମଇଗୁଡ଼ିକୁ ଏହା ନୂଆ ବ୍ୟବସାୟ ଓ ନେଟୱର୍କିଂ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଓ ପ୍ରଦର୍ଶନକାରୀମାନଙ୍କ ପାଇଁ ନୂଆ ବଜାର ଓ ବ୍ୟବସାୟ ସୃଷ୍ଟି କରିବାକୁ ଚାହୁଁଛି ।

No Result
View All Result