No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) କଳାହାଣ୍ଡି :- ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଆନ୍ଧ୍ର ଜମି ମାଫିଆଙ୍କ ଦ୍ଵାରା ଆଦିବାସୀ ଓ ସରକାରୀ ଜମି ଜବରଦଖଲ ନେଇ ବିବାଦ ଦେଖାଦେଇଥିଲା । ସେହି ସମସ୍ୟା ବର୍ତ୍ତମାନ ନର୍ଲା ଅଞ୍ଚଳକୁ ବ୍ୟାପି ଚାଲିଛି । ଗତ କିଛି ବର୍ଷ ହେଲା ଏହି ତହସିଲ ଅଞ୍ଚଳରେ ବାହାର ରାଜ୍ୟ ବିଶେଷ କରି ଆନ୍ଧ୍ର ଜମି ମାଫିଆଙ୍କ ପ୍ରବେଶ ଅବାଧରେ ବଢ଼ିଚାଲିଛି । ବିଭିନ୍ନ ଅଞ୍ଚଳରେ ଏକର ଏକର ସ୍ଥାନୀୟ ଲୋକଙ୍କ ଚାଷଜମି କିଣି ଘରଡିହ ଭାବରେ ପ୍ଲଟିଙ୍ଗ୍ କରିବା ସହ ଅନେକ ସ୍ଥାନରେ ସରକାରୀ ଓ ଜଙ୍ଗଲ ଜମି ଗୁଡ଼ିକୁ ଜବରଦଖଲ କରୁଥିବା ଦେଖାଯାଉଛି । ସ୍ଥାନୀୟ ଆଦିବାସୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଇଥିବା ଜଙ୍ଗଲ ନିକଟବର୍ତ୍ତୀ ଜମି ଗୁଡ଼ିକୁ ଯୋଜନାବଦ୍ଧ ଭାବରେ ଏମାନେ ସେମାନଙ୍କ ଠାରୁ ଲିଜ ସୂତ୍ରରେ ନେଇ କବଜା କରୁଥିବା ଅଭିଯୋଗ ହେଉଛି ।
ସହର ଓ ଜନବସତି ନିକଟବର୍ତ୍ତୀ ଚାଷଜମି ଗୁଡିକୁ ଏମାନେ ଘରଡିହ ଭାବରେ ପ୍ଲଟିଙ୍ଗ୍ କରିବା ସହ ପରବର୍ତ୍ତୀ ସମୟରେ ଚଢା ଦରରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଶହ ଶହ ଏକର ଚାଷ ଜମିକୁ ଘରଡିହ ଭାବରେ କନଭର୍ଟ କରୁଥିବା ଯୋଗୁଁ ଲୋକସଂଖ୍ୟା ଅନୁପାତରେ ଚାଷଜମି କମିବାରେ ଲାଗିଛି । ସ୍ଥାନୀୟ ଆଦିବାସୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଆଦିବାସୀ କଲ୍ୟାଣ ସ୍କିମରେ ଦିଆଯାଇଥିବା ଜମି ଗୁଡ଼ିକୁ ବିଶେଷ କରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଅଳ୍ପ କିଛି ଅର୍ଥର ପ୍ରଲୋଭନ ଦେଖାଇ ସେମାନଙ୍କ ଜମି ସହ ନିକଟବର୍ତ୍ତୀ ଜଙ୍ଗଲର ହେକ୍ଟର ହେକ୍ଟର ଜଙ୍ଗଲ ଜମି ଗୁଡ଼ିକୁ କବଜାରେ ନେଉଥିବା ଦେଖାଯାଉଛି । ଜଙ୍ଗଲ ନିକଟବର୍ତ୍ତୀ ଜମି ଗୁଡ଼ିକୁ ଅଳ୍ପ ମୂଲ୍ୟରେ କିଣି ନିକଟବର୍ତ୍ତୀ ସରକାରୀ ଜମି ଜବରଦଖଲ କରୁଥିବା ବେଳେ ସେହି ଜମି ଗୁଡିକରେ ନୀଳଗିରି, ଶାଗୁଆନ ଆଦି ଗଛ ଲଗାଇଥିବା ଦେଖାଯାଉଛି ।
ବିନା ପରମିଟରେ ଉକ୍ତ ଗଛ ଗୁଡ଼ିକୁ କାଟି ଟ୍ରକ୍ ଟ୍ରକ୍ ମୂଲ୍ୟବାନ ଗଛ ଆନ୍ଧ୍ର ଚାଲାଣ କରାଯାଉଛି । ଏହି ବେଆଇନ କାର୍ଯ୍ୟରେ ସ୍ଥାନୀୟ କିଛି କୁଜିନେତା ଓ ଅସାମାଜିକ ବ୍ୟକ୍ତି ସହଯୋଗ କରୁଥିବା ଦେଖାଯାଉ କୁରମେଲ, ବାଲସିଙ୍ଗା, ପାଙ୍ଗା, ଡୁଡାଲୁ, ପିପଲପଡା, ପଟାଙ୍ଗପଦର, ଲାମେର, ଗଟେଣ, ଶିରପାଲି, ଦହଲ, କରଞ୍ଜା, ଧୁର୍କୁଟି ତଥା ନର୍ଲା ବ୍ଲକର ସୀମାନ୍ତବର୍ତୀ ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା, ଗୋବର୍ଦ୍ଧନପୁର, ଲାଞ୍ଜିଗଡ଼ ରୋଡ,ଭୁର୍ଟିଗଡ,କାଦୋମସ୍କା ପଞ୍ଚାୟତର ଗ୍ରାମ ଗୁଡ଼ିକରେ ଏମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରି ଆସୁଛନ୍ତି । ଗତ କିଛି ଦିନ ତଳେ ନର୍ଲା ବ୍ଲକ କୁର୍ମେଲ୍ ଓ ମସ୍କାଗୁଡା ଅଞ୍ଚଳରୁ ଜନୈକ ଆଦିବାସୀ ଗୋଷ୍ଠୀର ଲିଜ୍ ପାଇଥିବା ଜମିରୁ ନୀଳଗିରି ଗଛ କାଟି ଟ୍ରକ୍ ମାଧ୍ୟମରେ ନେଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଅଟକାଇଥିଲେ । ଗଛ ଗୁଡ଼ିକ ନେଉଥିବା ଆନ୍ଧ୍ର ବ୍ୟବସାୟୀ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।
ପରେ ସ୍ଥାନୀୟ ଜନୈକ ପୂର୍ବତନ ସମିତି ସଭ୍ୟ ଯୁବକ ନିଜ ଲୋକଙ୍କୁ ଧମକାଇ ଦେଇ ଟ୍ରକ୍ ଗୁଡ଼ିକୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ବାଟ ଦେଖାଇ ଗାଡ଼ି ଗୁଡ଼ିକୁ ପାର କରାଇଥିଲେ । ଏନେଇ ରାଜସ୍ଵ ବିଭାଗ ଓ ବନବିଭାଗ ସହିତ ଯୋଗାଯୋଗ କରାଯାଇଥିଲେ ହେଁ କେହି ମଧ୍ୟ ଗୁରୁତ୍ଵ ଦେଉନଥିବା ଦେଖାଯାଉଛି । ରାଜସ୍ବ ବିଭାଗର ଜମି କିଣିବାକୁ ଭାରତୀୟ ନାଗରିକ ଭାବରେ କାହାକୁ ବାରଣ କରାଯାଇ ପାରିବ ନାହିଁ । ହେଲେ ଅନଧିକୃତ ଉପାୟରେ ଜମି ଜବରଦଖଲ କରିବା ବେଆଇନ । ଏହା ଉପରେ ନଜର ରଖାଯିବ ବୋଲି ରାଜସ୍ବ ବିଭାଗ ତରଫରୁ ସୂଚନା ଦିଆଯାଇଛି । ବେଆଇନ ଜମି ଜବରଦଖଲ ଓ ଗଛ ଚୋରାଚାଲାଣ ଉପରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏହା ଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ସମୟ ହଁ କହିବ !
No Result
View All Result