ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ନୂଆଦିଲ୍ଲୀ :- ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି ଝୁମିବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା । ନିକଟରେ ଡେନମାର୍କ ଠାରେ ଅବସ୍ଥାପିତ ଓଡ଼ିଆ ଝିଅ ନିତ୍ୟା ଜାତୀୟ ରାଜଧାନୀର ତ୍ରିବେଣୀ କଳା ସଙ୍ଗମଠାରେ ତାଙ୍କର ମଞ୍ଚ ପ୍ରବେଶ ନୃତ୍ୟ କାର୍ଯ୍ୟକ୍ରମ ‘ଅରଂଗେତ୍ରମ’ ପରିବେଷଣ କରିଥିଲେ । ନିତ୍ୟାଙ୍କର ରସ ଓ ଲାସ୍ୟ ଭରା ନୃତ୍ୟ ପ୍ରସ୍ତୁତି, ତାଙ୍କର ଅନନ୍ୟ ପ୍ରତିଭା ଏବଂ ଅଜସ୍ର ପାରଦର୍ଶିତାର ସ୍ୱାକ୍ଷର ବହନ କରୁଥିଲା ।
ପରମ୍ପରା ଅନୁଯାୟୀ ପ୍ରାରମ୍ଭରେ ନିତ୍ୟା ତାଙ୍କର ଗୁରୁ ରଶ୍ମୀ ରାଉତ ଜୟସ୍ୱାଲଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଗୁରୁ ଶ୍ରୀମତୀ ରାଉତ ତାଙ୍କ ହାତରେ ଘୁଙ୍ଗୁର ଅର୍ପଣ କରି ତାଙ୍କୁ ଶୁଭକାମନା ଜଣାଇଥିଲେ । ‘ପୁଷ୍ପାଞ୍ଜଳି’ ଶୀର୍ଷକ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଭଗବାନ ନଟରାଜଙ୍କ ବନ୍ଦନାକୁ ଆଧାରିତ ଥିଲା । ଏହା ପରେ ଆଲ୍ଲାରିପୁ, ଯଥିସ୍ୱରମ୍, ଶବ୍ଦମ, ବର୍ଣ୍ଣମ୍, ରାମ ଭଜନ, ଦେବର ନାମ ଏବଂ ତିଲାନା ଆଦି ନୃତ୍ୟ ସଂଯୋଜନା ପରିବେଷଣ କରାଯାଇଥିଲା । ତିନି ଘଣ୍ଟା ଧରି ଲଗାତାର ଘମାଘୋଟ ପ୍ରଦର୍ଶନର ପରିସମାପ୍ତି ଶାନ୍ତି ଶ୍ଲୋକ ଦ୍ୱାରା ହୋଇଥଲା ।
ଏଠାରେ ନୃତ୍ୟଶିଳ୍ପୀ ନିଜର ଆତ୍ମାକୁ ପରମାତ୍ମା ସହିତ ବିଲୟ କରିବାକୁ ପ୍ରୟାସ କରିବା ଏବଂ ସମସ୍ତଙ୍କର ଶାନ୍ତି ଓ ସତଗତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା, ସମଗ୍ର ପରିବେଶକୁ ଭାବବିହ୍ୱଳ, ଭକ୍ତିପୂତ ଏବଂ ଆଧ୍ୟାତ୍ମିକ ଉତ୍ସ୍ଵାସରେ ଉଦବୁଦ୍ଧ କରିବା ସହିତ ଦର୍ଶକ ମାନଙ୍କୁ ଐଶ୍ବରିକ ସତ୍ତାର ଆସ୍ୱାଦନ ଏବଂ ଅମୃତ ଆନନ୍ଦର ସେବନ କଲାଭଳି ଅଲୌକିକ ଅନୁଭୂତି ପ୍ରଦାନ କରିଥିଲା । ନିତ୍ୟାଙ୍କର ପ୍ରତ୍ୟେକ ପ୍ରସ୍ତୁତି ଯଥେଷ୍ଟ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା ।
ବିଶେଷକରି ଶୁଦ୍ଧ ନୃତ୍ୟ ତିଲାନା ମଞ୍ଚସ୍ଥ କରିବା ସମୟରେ ତାଙ୍କର ବୈଦ୍ୟୁତିକ ପଦଚାଳନା ବେଶ୍ ପ୍ରଶଂସନୀୟ ଥିଲା । ସେହିପରି ବର୍ଣ୍ଣମ୍, ରାମ ଭଜନ ଏବଂ ଦେବର ନାମ ଆଦି ଅଭିନୟ ଧର୍ମୀ ସଂରଚନା ମାନଙ୍କରେ ନିତ୍ୟା ଙ୍କର ଜୀବନ୍ତ ଓ ନିଖୁଣ ମୁଖାଭିନୟ ଏବଂ ଅସାମାନ୍ୟ ଭୃକୁଞ୍ଚନ ଦେଖଣାହାରି ମାନଙ୍କୁ ବିଭୋର କରିଦେଇଥିଲା । ମାତ୍ର ପାଞ୍ଚ ବର୍ଷ ବୟସରୁ ନିତ୍ୟା ଦିଲ୍ଲୀ ଠାରେ ଗୁରୁ ଶ୍ରୀମତୀ ରାଉତଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।
କିନ୍ତୁ ନୃତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଶ୍ରଦ୍ଧା, ପରମ ନିଷ୍ଠା ଏବଂ ଏକନିଷ୍ଠ ପ୍ରତିବଦ୍ଧତା ଅବଶେଷରେ ତାଙ୍କୁ ବିଜୟୀ କରିଥିଲା । ବିକଳ୍ପ ବ୍ୟବସ୍ଥା ଭାବରେ ନିତ୍ୟା, ଗୁରୁ ଶ୍ରୀମତୀ ରାଉତଙ୍କ ଠାରୁ ଅନଲାଇନ୍ ଯୋଗେ ତାଲିମ ନେବା ଆରମ୍ଭ କରିଥିଲେ ଏବଂ ଏହାକୁ ନିୟମିତ ଭାବେ ଚାଲୁ ରଖିଥିଲେ । ଦୀର୍ଘ ଆଠବର୍ଷର ଏହି ନିରଳସ ଡିଜିଟାଲ ତପସ୍ୟା ଏବଂ ଉତ୍ସର୍ଗୀକୃତ ସାଧନାରୁ ପ୍ରାପ୍ତ ସିଦ୍ଧି ତଥା ସୁଫଳର ଚାକ୍ଷୁସ ପ୍ରମାଣ, ତ୍ରିବେଣୀ ପ୍ରେକ୍ଷାଳୟରେ ସେଦିନର ଅସାଧାରଣ ଏବଂ ଅବିସ୍ମରଣୀୟ ନୃତ୍ୟ ପ୍ରଦର୍ଶନରୁ ଦେଖିବାକୁ ମିଳିଥିଲା ।
ଏହା ପୂର୍ବରୁ ଗ୍ରୀସ, ସ୍ଵିଡେନ ଏବଂ ଡେନମାର୍କ ଆଦି ଦେଶରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଉତ୍ସବ ମାନଙ୍କରେ ନିତ୍ୟା ତାଙ୍କର କଳା ଚାତୁର୍ଯ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଯନ୍ତ୍ରସଙ୍ଗୀତରେ ବିଶିଷ୍ଟ କଳାକାର ବୃନ୍ଦ ଯଥା ନଟ୍ଟୁ ୱଙ୍ଗମରେ ଗୁରୁ ରଶ୍ମୀ ରାଉତ ଜୟସ୍ଵାଲ, କଣ୍ଠ ସଙ୍ଗୀତରେ ଭେଙ୍କଟେଶ୍ୱରନ୍ କୁପୁସ୍ବାମୀ, ମୃଦଙ୍ଗରେ ପ୍ରଜେଶ ଚନ୍ଦ୍ରନ, ଘଟମରେ ବରୁଣ ରାଜଶେଖରନ, ବେହେଲାରେ ଚେମ୍ବାଇ ଆର ଶ୍ରୀନିବାସ ଏବଂ ବଂଶୀରେ ଅନୁରାଗ ରସ୍ତୋଗୀ ପ୍ରମୁଖ ସହଯୋଗ କରିଥିଲେ ।
ଦିବ୍ୟା ମେହେଟ୍ଟା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ । ନିମିସା ସିଙ୍ଗଲା ସାଂସ୍କୃତିକ ଅଧିବେଶନର ସୁସଂଯୋଜନା କରିଥିଲେ । ପ୍ରସିଦ୍ଧ ରୂପସଜ୍ୟାବିତ ବ୍ରିଜ ମୋହନ ନୃତ୍ୟାଙ୍ଗନା ଙ୍କର ମୁଖ ବିନ୍ୟାସ କରିଥିଲେ । ବରିଷ୍ଠ ପ୍ରଶାସକ ଦେବେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୃତ୍ୟ ପ୍ରଦର୍ଶନ କୁ ଉଦଘାଟନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଖଣ୍ଡେଲୱାଲ(ଟୁଙ୍ଗୱାଲେ),ନରେଶ ରାୱତ, କମଲ ମାଲହି, ପ୍ରଦୀପ ଖଣ୍ଡେଲୱାଲ୍, ଡଲି ଖଣ୍ଡେଲୱାଲ୍ ଓ ସନ୍ତୋଷ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
© 2023 Odisha Taza News.