ଓଡିଶା ତାଜା ନ୍ୟୁଜ୍ (୨୨ ମଇ, ଶୁକ୍ରବାର ) ଚନ୍ଦାହାଣ୍ଡି :- ଆଜି ପବିତ୍ର ସାବିତ୍ରୀ ଅମାବସ୍ୟା । କରୋନା ମହାମାରୀ ବିପତିରେ ଦେଶ ଗତି କରୁଥିବା ବେଳେ ସମସ୍ତେ ଏହି ବିପତିରୁ ମୁକ୍ତ ହୋଇ ଉତ୍ତମସ୍ୱାସ୍ଥ୍ୟ ଓ ନିରାମୟ ଜୀବନଯାପନ କରନ୍ତୁ ଏପରି ମନାସି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଓ ସୀମାନ୍ତ ଛତିଶଗଡ଼ ରାଜ୍ୟର ମଇନପୁର ଓ ଦେଓଭୋଗ ବ୍ଲକରେ ସଧବା ମା ମାନେ ବିଭିନ୍ନ ଦେବାଳୟ ଓ ଘରେ ଘରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ନେପାଳ ଓ ଭାରତରେ ଏହି ବ୍ରତ ପାଳନ କରାଯାଇଥାଏ । ଭାରତର ବିହାର,ଉତ୍ତରପ୍ରଦେଶ,ଓଡ଼ିଶା,ମଧ୍ୟ ପ୍ରଦେଶ ଓ ଛତିଶଗଡ ଅଞ୍ଚଳରେ ସଧବା ନାରୀମାନେ ଏହି ବ୍ରତ ପାଳନ କରୁଥିବା ଦେଖିବାକୁ ମିଳେ । ଓଡିଆ ଘରର ଏହି ପର୍ବ ଟିକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି ।
ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ । କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରିଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।
ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଭକ୍ତି ଓ ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଇଁ ସଧବା ନାରୀମାନେ ସଜବାଜ ହୋଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥାଏ । ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି । ଏଥି ନିମନ୍ତେ ହିନ୍ଦୁ ଘରେ ଘରେ ଆଜି ସକାଳେ ଏହାର ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି ।
ବ୍ରତ ପାଳନ ସମୟରେ ସଧବା ମା ମାନେ ଦେଶବାସୀ ଙ୍କୁ କରୋନା ମହାମାରୀ ସମ୍ୱନ୍ଧୀୟ ସଚେତନ ର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଥିଲା। “ସରକାର ଙ୍କ ନିୟମ ମାନିବା ଓ ଜରୁରୀ କାମ ନଥିଲେ ବାହାରକୁ ନ ଯାଇ ଘରେ ରହିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, କରୋନା ଯୋଦ୍ଧାମାନଙ୍କୁ ସମ୍ମାନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା । ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରହିବା ପାଇଁ ସହଯୋଗ କରିବା ଏହାକୁ ପାଳନ କଲେ ଦେଶରେ କରୋନା କୁ ହରାଇ ଆମେ ସମସ୍ତେ ନିରାମୟ ଜୀବନଯାପନ କରି ପାରିବା” ଏହିପରି ବାର୍ତ୍ତା ଦେଇ ଆଜିର ପବିତ୍ର ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି । (ରିପୋର୍ଟ-ଯୁବରାଜ ଜଗତ )
odishatazanews.com, whatsApp – 9938341180, ph.7008991872, facebook – odishatazanews,ଲାଇକ୍ ଓ ସେୟାର କରନ୍ତୁ –Mail, odishatazanews1@gmail.com