No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ଓଡିଶା ରାଜ୍ୟର ସୀମାବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡ଼ିଆ ଭାଷା-ସାହିତ୍ୟ ସହ ଅଧିକ ସଂପୃକ୍ତ କରାଇବା ଏବଂ ସେମାନଙ୍କ ସହ ଓଡ଼ିଶାବାସୀଙ୍କ ଭାବଗତ ସଂପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ଆଜି ଏହି କ୍ରମରେ ପଡୋଶୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା, ଟିକାଲି, ଇଚ୍ଛାପୁରମ୍ ଏବଂ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରକାଶିତ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ କରାଯାଇଛି ।
ଆଜି’ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରିଥିବା ଏକ ସ୍ୱତନ୍ତ୍ର ଯାନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟ’ର ସଂପାଦକ ଡଃ. ଲେନିନ୍ ମହାନ୍ତି ପ୍ରମୁଖ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ବିଭାଗର ପ୍ରକାଶନ ପରିଚାଳକ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରାରେ ବିଭାଗ ତରଫରୁ ଦୁଇଜଣ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ଶ୍ରୀ ସୌରଭ ପ୍ରଧାନ ଗସ୍ତ କରିଛନ୍ତି ।
ସେମାନେ ବିଚ୍ଛିନ୍ନାଂଚଳରେ ଥିବା ଓଡିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ କରି ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ବଣ୍ଟନ କରିବା ସହିତ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଭାବ ବିନିମୟ କରିବେ । ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହା ଠାରୁ ଓଡିଶାର ସୀମାବର୍ତ୍ତୀ ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ରହୁଥିବା ବିଚ୍ଛିନ୍ନାଂଚଳ ଓଡିଆ ଭାଇଭଉଣୀମାନଙ୍କ ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ‘ଉତ୍କଳ ପ୍ରସଙ୍ଗ’ର ସ୍ୱତନ୍ତ୍ର ସଂଖ୍ୟା ପଠାଯାଇଆସୁଛି ।
ତେବେ କୋଭିଡ୍-୧୯ କଟକଣା ପରିପ୍ରେକ୍ଷୀରେ ଏହି ଯାତ୍ରା ବନ୍ଦ ରହିଥିଲାବେଳେ ଏବେ ପୁନଃ ଆରମ୍ଭ ହୋଇଛି । ଡଃ ଲେନିନ୍ ମହାନ୍ତିଙ୍କ ସଂପାଦନାରେ ଚଳିତ ବର୍ଷ ରଥଯାତ୍ରା ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟ’ ସ୍ୱତନ୍ତ୍ର ସଂଖ୍ୟାରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ପରଂପରା ସମ୍ବନ୍ଧୀୟ ସ୍ୱନାମଧନ୍ୟ ଲେଖକ ଓ ଗବେଷକଙ୍କର ବହୁ ଉଚ୍ଚକୋଟୀର ଲେଖାମାନ ପ୍ରକାଶ ପାଇଛି ।
No Result
View All Result