ଉପସ୍ଥିତ ପ୍ରାୟ ୩୦୦୦ ଭକ୍ତଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ବିଶାଖାପାଟଣାର ରାଜ ରାସ୍ତାରେ ରାଜକୀୟଠାଣିରେ ମହାପ୍ରଭୁଙ୍କର ରଥ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା । ଏଠାରେ ବ୍ୟାପକ ସଂଖ୍ୟାରେ ମହିଳା ମାନେ ବଢ଼ି ଚଢ଼ିକି ରଥ ଟାଣୁଥିବାର ଦେଖାଯାଇଥିଲା । ଉତ୍ସବର ବିଶେଷ ସାଂସ୍କୃତିକ ଆକର୍ଷଣ, କଳାହାଣ୍ଡିର କେସିଙ୍ଗାରୁ ଆସିଥିବା ଦୁଲଦୁଲି ଟ୍ରୁପ ଥିଲା । ପାଞ୍ଚ କିଲୋମିଟର ଦୀର୍ଘ ଫେରନ୍ତି ଯାତ୍ରା ସମୟରେ ସେମାନଙ୍କର ଘୋରଘର୍ଗର ବାଦ୍ୟ ବାଦନ ଗଗନ ପବନକୁ ପ୍ରକମ୍ପିତ କରିବା ସହିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।
ରଥଟିକୁ ଶାନ୍ତି ଆଶ୍ରମ, ଭୁଡ଼ା ପାର୍କ, ଏୟୁ ଗେଟ୍, ଭୁଡ଼ା ଚିଲେଡ୍ରେନସ ଆରେନା ଏବଂ ଆକାଶବାଣୀ ବାଟ ଦେଇ ଟଣା ଯାଇ ଦଶପଲ୍ଲା ପାହଡିରେ ଥିବା ମୁଖ୍ୟ ମନ୍ଦିରକୁ ରାତି ୮ ଟା ସୁଦ୍ଧା ଅଣା ଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରଯାଇଥିଲା।
ଏହା ପରେ ଦିଅଁ ମାନଙ୍କୁ ରୋଷଣୀ କରାଯାଇ ରଥ ଉପରୁ ମୁଖ୍ୟ ମନ୍ଦିରକୁ ନିଆଯାଇ ରତ୍ନ ବେଦୀରେ ଆସୀନ କରାଯାଇଥିଲା। ଏହି ପାର୍ବଣର ସମସ୍ତ ଅୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଏବଂ ରଥ ଓ ବାହୁଡା଼ ଯାତ୍ରା ଉତ୍ସବଦ୍ୱୟକୁ ଅଭୂତପୂର୍ବ ଭାବରେ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜର ସଭାପତି ତଥା ଓଡ଼ିଶା ଷ୍ଟିଭିଡୋରସର ଉପସଭାପତି ଜୀତେନ୍ଦ୍ର କୁମାର ନାୟକ ଏବଂ ସାଂସ୍କୃତିକ ସମାଜର ସାଧାରଣ ସଂପାଦକ ବିମଳ କୁମାର ମହନ୍ତ ମୁଖ୍ୟଭୂମିକା ନିର୍ବାହ କରିଥିଲେ।© 2023 Odisha Taza News.