ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ବୈପାରିଗୁଡା :- ବୈପାରିଗୁଡା ଠାରେ ପବିତ୍ର ବାହୁଡା ଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ସକାଳୁ ପ୍ରବଳମାତ୍ରାରେ ବର୍ଷା ଲାଗିରହିଥିବା ବେଳେ ରଥ ଟାଣିବା ସମୟରେ ଝିପି ଝିପି ବର୍ଷା ହେବା ଫଳରେ ବର୍ଷା ଭିଜି ମଧ୍ଯ ଭକ୍ତ ରଥ ଟାଣିଥିବାର ଦେଖିବାକୁ ମିଳିଛି ! ବିରଖମ୍ବ ସାହି ପାଖରେ ମାଉସୀ ମାଁ ଙ୍କ ମନ୍ଦିରରେ ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରିତୀନିତୀ ସଂପନ୍ନ କରାଯାଇଥିଲା ।
ମନ୍ଦିରର ମୁଖ୍ୟପୂଜକ ଦୁର୍ଗାପ୍ରସାଦ ତ୍ରିପାଠୀ ଓ ସିମାଂଚଳ ସାହୁଙ୍କ ଦ୍ୱାରା ଠାକୁରଙ୍କ ମଙ୍ଗଳ ଆରତି, ମଇଲମ ସହ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୧ ଟା ବେଳେ ପହଣ୍ଡିରେ ରଥରେ ବିଜେ କରିଥିଲେ ତିନି ଠାକୁର ! ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ବୈପାରିଗୁଡାର ରାଜା ବାପି ଜଗଦେବ ରଥ ଉପରେ ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୪ ଟାରେ ରଥଟଣା ଆରମ୍ଭ ହୋଇଥିଲା ।
ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ବୈପାରିଗୁଡା ବଡଦାଣ୍ଡରେ ରଥଟଣା ପ୍ରକମ୍ପିତ ହୋଇଥିଲା । ଅଧା କିଲୋମିଟର ରାସ୍ତା ଉପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରଥକୁ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଟାଣି ନେଇଥିଲେ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଓ ବାହୁଡା ଯାତ୍ରା ହେଉଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ
ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ନେତୁତ୍ବରେ ବୈପାରିଗୁଡା ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀ, ବିଭିନ୍ନ ବିଭାଗର କର୍ମଚାରୀ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଥିରେ ସକ୍ରୀୟ ସହଯୋଗ କରିଥିଲେ ।
© 2023 Odisha Taza News.