ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ନୂଆଦିଲ୍ଲୀ :- ନୂଆଦିଲ୍ଲୀର ହାଉଜଖାସସ୍ଥିତ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ଥିବା ଦିଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ ସାଢେ଼ ୩ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ଵନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ନେଇଯାଇଥିଲେ।
ଅପରାହ୍ନ ୪ଟା ସମୟରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ଓ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଦିନ ସାଢେ଼ ୪ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା। ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ପ୍ରବଳ ପ୍ରତାପୀ ଠାଣିରେ ଭଗବାନଙ୍କର ଘୋଷଯାତ୍ରା ଏବଂ ଜନସମୁଦ୍ର ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ଭକ୍ତ ମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଥିଲେ।
ଆସନ୍ତା କାଲି ଚତୁର୍ଧା ମୂର୍ତି ଙ୍କୁ ନାଟ୍ୟ ମଣ୍ଡପ କୁ ନିଆଯିବ । ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ। ଦିଲ୍ଲୀରେ ଆଜି ଛୁଟି ଦିନ ଥିବାରୁ ଏବଂ ପାଗ କୋହଲା ହୋଇଥିବାରୁ ପ୍ରାୟ କୋଡ଼ିଏ ହଜାର ଶ୍ରଦ୍ଧାଳୁଙ୍କର ହାଉଜଖାସ ଠାରେ ସମାଗମ ଘଟିଥିବା ଲକ୍ଷ୍ୟ କରାଯାଇଥିଲା। ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା କରିବାରେ ମନ୍ଦିର କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟ ଯଥା ଅଭୟ ପ୍ରଧାନ, ଅଶୋକ ପ୍ରଧାନ (କ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୂତାର, ଅଶୋକ ପ୍ରଧାନ(ଖ), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଷିଦ୍ଧ କୁମାର ଦାସ, ରଙ୍କନିଧି ସାହୁ, ବିଜୟ ସାହୁ, ବିଘ୍ନେଶ୍ୱର ରାଉତ, ଦିଲ୍ଲୀପ କୁମାର ସ୍ବାଇଁ, କିଶୋର ସାମଲ,ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଓ ମନ୍ଦିରର ପରିଚାଳକ ରଶ୍ମି ରଂଜନ ବେହେରା ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ବିକାଶ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।