ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ରାଜ୍ୟ ସୂଚନା ଓ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି ପୂର୍ବାହ୍ଣରେ ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ବିଭାଗର କର୍ମଚାରୀ କଲ୍ୟାଣ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଗତ ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିବା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ବରିଷ୍ଠ କ୍ୟାମେରାମ୍ୟାନ ଶ୍ରୀ ବିନୟ କୁମାର ତ୍ରିପାଠୀ, ଫଟୋଗ୍ରାଫର ମଲ୍ଲିମଣୀ ସୋରେନ୍ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଅର୍ଜୁନ କୁମାର ଗୌଡ, ଏହି ୪ ଜଣ ସରକାରୀ କର୍ମଚାରୀଙ୍କ ପାଇଁ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅବସରଗ୍ରହଣ କରିଥିବା ଏହି ଅଧିକାରୀ ଓ କର୍ମଚାରୀମାନଙ୍କର ଦୀର୍ଘ ଦିନର ଅଭିଜ୍ଞତା, ସରକାରୀ କାର୍ଯ୍ୟରେ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ସଂପର୍କରେ ଆଲୋକପାତ କରି ସେମାନଙ୍କର ଅବସରକାଳୀନ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା ଯୋଗଦେଇ ଅବସର ଗ୍ରହଣ କରିଥିବା ଏହି ଅଧିକାରୀ ଓ କର୍ମଚାରୀମାନଙ୍କର ବିଭାଗୀୟ କାର୍ଯ୍ୟପ୍ରତି ଅବଦାନ ସ୍ମରଣୀୟ ରହିଥିଲା ବୋଲି କହିଥିଲେ ଏବଂ ଅବସରକାଳୀନ ସମୟରେ ସେମାନେ ମାନସିକ ସ୍ତରରେ ସୁସ୍ଥ ଓ ଦୃଢ ରହି ନିରୋଗ ରହିବାକୁ କହିଥିଲେ । ଅବସରଗ୍ରହଣ କରିଥିବା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଖୁଣ୍ଟିଆ ୧୯୯୪ ମସିହାରେ ବିଭାଗରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା ବିଧାନ ସଭା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ତଥା ସୂଚନା ଅଧିକାରୀ ଭାବେ ସୁଚାରୁରୂପେ କାର୍ଯ୍ୟ ସଂପାଦନ ସଂପର୍କରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ଭଲ ସମ୍ବାଦ ଲେଖିବା, ଭାଷଣ ଓ ବାର୍ତା ପ୍ରସ୍ତୁତି କଲେ ଆତ୍ମସନ୍ତୋଷ ମିଳିଥାଏ ବୋଲି ଶ୍ରୀ ଖୁଣି୍ଟଆ ପ୍ରକାଶ କରିଥିଲେ ।

ସେହିପରି ବରିଷ୍ଠ କ୍ୟାମେରାମ୍ୟାନ ଶ୍ରୀ ତ୍ରିପାଠୀ ତାଙ୍କ ୩୬ ବର୍ଷ ସରକାରୀ କାର୍ଯ୍ୟ ମଧ୍ୟରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧୀ, ସ୍ୱର୍ଗତ ରାଜୀବଗାନ୍ଧିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ, ଶ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ ଏବଂ ବିଭିନ୍ନ ସମୟରେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଭିଡିଓ ଉତୋଳନ ସମୟରେ ସମୟାନୁବର୍ତୀ ହେବାସହ ତତ୍ପରତା, ସଚେତନତା ଓ ସାହସିକତାର ସହ ସମ୍ବାଦ ପ୍ରଚାର ପ୍ରସାରଣ କରିବାକୁ ପଡୁଥିଲା ବୋଲି ସେ ତାଙ୍କର ବିଦାୟକାଳୀନ ବକ୍ତବ୍ୟରେ ଉଲ୍ଳେଖ କରିଥିଲେ । ସେହିପରି ବରିଷ୍ଠ ଫଟୋଗ୍ରାଫର ଶ୍ରୀମତୀ ସୋରେନ ପ୍ରାରମ୍ଭରୁ ସୂଚନା ଓ ଲୋକ ସଂପର୍କ ବିଭାଗରେ ଚାକିରି କରିବାରେ ତାଙ୍କର ଅଭିଳାଷ ଓ ୨୦୦୦ ମସିହାରୁ ଚାକିରି ଆରମ୍ଭ କରିବା ଦିନଠାରୁ ଅବସରଗ୍ରହଣ ପର୍ଯ୍ୟନ୍ତ ୨୩ ବର୍ଷର ଆହ୍ୱାନମୂଳକ ତଥା ସୁନ୍ଦର ଅନୁଭୂତିକୁ ସଂକ୍ଷିପ୍ତରେ ବର୍ଣ୍ଣନା କରିବା ସହିତ ପ୍ରବଳ ଇଚ୍ଛା ଶକ୍ତି ଥିଲେ ଭଗବାନ ସହାୟ ହୁଅନ୍ତି ବୋଲି କହିିଥିଲେ ।

ବିଭାଗର ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଉପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ଦାଶ, ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଅବସରଗ୍ରହଣ କରିଥିବା ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କର ପ୍ରଶାସନ ଓ ଗଣମାଧ୍ୟମ ସହିତ ଉତମ ସଂପର୍କ ରଖି ସେବା ପ୍ରଦାନ କରିଆସୁଥିଲେ ବୋଲି ପ୍ରକାଶ କରିବା ସହିତ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଓ କର୍ତବ୍ୟ ନିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ସାଉଣ୍ଡ ରେକର୍ଡିଷ୍ଟ ଶ୍ରୀମତୀ ଶୋଭା ପଟ୍ଟନାୟକ ଓ କବିତା ନାୟକ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କର୍ତବ୍ୟ ନିଷ୍ଠା ଓ ସେମାନଙ୍କ ସହିତ ନିଜର କାର୍ଯ୍ୟ ଅନୁଭୂତି ବାଣ୍ଟିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅବସରଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଶ୍ରୀମଦ୍ ଭଗବତ୍‌ଗୀତା, ପୁଷ୍ଠଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ବିଭିନ୍ନ ଶାଖାର ଉପନିର୍ଦ୍ଦେଶକ, ଉପ ବିଭାଗୀୟ ଅଧିକାରୀ, ସୂଚନା ଅଧିକାରୀ ଓ କର୍ମଚାରୀ କଲ୍ୟାଣ ସମିତିର କର୍ମକର୍ତା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।