No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବେଙ୍ଗାଲୁରୁ :- ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୁତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ବଢି ଭୋରରୁ ମଂଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ ଟା ୧୫ରେ ଚାରି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ମନ୍ଦିର ବେଢ଼ାରେ ଥିବା ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ୨୮ ଫୁଟ ଉଚ୍ଚ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତ ମାନଙ୍କର କୀର୍ତ୍ତନ ତଥା ଜୟ ଜଗନ୍ନାଥ ଧ୍ବନିମଧ୍ୟରେ ନିଆଯାଇଥିଲା।
ମନ୍ଦିରର ଟ୍ରଷ୍ଟି ସୀତିକଣ୍ଠ ଷଡ଼ଙ୍ଗୀ ଛେରା ପହଁରା କରିବା ପରେ ଅପରାହ୍ନ ୨ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା। ରଥଟିକୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଟଣାଯାଇ ସନ୍ଧ୍ୟା ୬ଟା ବେଳେ ମାଉସୀମା ମନ୍ଦିର ନିକଟରେ ପହଁଞ୍ଚାଯାଇଥିଲା। ପାଗ ମେଘୁଆ ଥିବାରୁ ପ୍ରାୟ ୨୫୦୦୦ ଦର୍ଶକ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଦେଖା ଦେଇଥିଲା।
ରଥଯାତ୍ରା ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମାଇ, କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପିସି ମୋହନ, ରାଜ୍ୟମନ୍ତ୍ରୀ ଅରବିନ୍ଦ ଲିମ୍ବାଭଲି ଏବଂ ବିଧାୟକ ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର ମହୋତ୍ସବକୁ ସୂଚାରୁ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, କାମାକ୍ଷା ପଣ୍ଡା, ଜଷ୍ଟିସ ଜେପି ଉଦଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

No Result
View All Result