ସୌଜନ୍ୟ :- ଅରୁଣ ନାୟକ
ଓଡ଼ିଶା ତାଜା ନ୍ୟୁଜ୍/୧୩ ଜୁନ ସୋମବାର/ଭୁବନେଶ୍ୱର :- ରଜ୍ୟ ମନ୍ତ୍ରୀମଣ୍ଡଳର ନବୀକରଣ ପରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କ ସପକ୍ଷରେ ଏବଂ ବିପକ୍ଷରେ ଏବେ ଢେର୍ ଚର୍ଚ୍ଚା । ସତେ ଯେମିତି ସେ ଏକ ମାତ୍ର ରାଜନେତା ଯାହାଙ୍କୁ, ଏଥର ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆ ଯାଇଛି…! ଏଇ ଭଳି ଏକ ଘଟଣା ୨୦୧୪ ରୁ ୨୦୧୯ ସରକାରରେ ମଧ୍ୟ ଘଟିଥିଲା । ତିନି ବର୍ଷ ମନ୍ତ୍ରୀ ମଣ୍ଡଳରେ ରହି, ସେଠୁ ସେ’ ଓହୋରି ଯାଇ, ୨୦୧୯ ନିର୍ବାଚନ ପାଇଁ ସଙ୍ଗଠନ କାର୍ଯ୍ୟରେ ନିଜକୁ ନିୟୋଜନ କରିଥିଲେ । ଏଥର ମଧ୍ୟ ସେଇଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି । ତେବେ ମୁଁ ସ୍ପଷ୍ଟ ଅନୁମାନ କରି ପାରୁଚି, ଯୋଉମାନେ ଏବେ ତାଙ୍କ ବିରୋଧରେ ଚର୍ଚ୍ଚା କରୁଛନ୍ତି, ସେମାନେ ହୁଏତ ଅରୁଣ ସାହୁଙ୍କୁ ଅଥବା ତାଙ୍କ ବ୍ୟକ୍ତିତ୍ୱକୁ ସଠିକ୍ ଭାବରେ ଚିହ୍ନିନାହାଁନ୍ତି କିମ୍ବା ଜାଣି ନାହାଁନ୍ତି । ନହେଲେ ନିଶ୍ଚିନ୍ତ ଭାବରେ ଅରୁଣ ସାହୁଙ୍କ ଦ୍ୱାରା ତାଙ୍କ ସ୍ୱାର୍ଥ ପୂରଣ ହେଇନି କିମ୍ବା ଇଏ ସେମାନଙ୍କର ରାଜନୈତିକ ଶତ୍ରୁ ।
ଅରୁଣ ସାହୁଙ୍କୁ ୨୦୦୪ ମସିହାରୁ ମୁଁ ଜାଣେ…। ଅତି ନିକଟରୁ । ତାଙ୍କ ବ୍ୟକ୍ତିତ୍ୱରେ ମୁଁ ଘୋର୍ ମାତ୍ରାରେ ପ୍ରଭାବିତ… ଏବେ କେବଳ ଗୋଟିଏ କଥା କହିବି, ଆମ ରାଜ୍ୟ ଆଜି ଜଣେ ଦୂରଦର୍ଶୀ ଏବଂ ଭଲ କୃଷି ମନ୍ତ୍ରୀ ହରେଇଛି । ଏଇ କଥାର ପ୍ରମାଣ, ଆପଣ ମାନେ ସମସ୍ତେ ନିଜନିଜ ଅଞ୍ଚଳର କୃଷି ବିଭାଗର ଅଧିକାରୀ ଅଥବା କର୍ମଚାରୀ ମାନଙ୍କଠାରୁ ବୁଝି ପ୍ରମାଣ ପାଇ ପାରିବେ । ଇଏ ଏଭଳି ଜଣେ ମନ୍ତ୍ରୀ ଥିଲେ- ଯାହାଙ୍କ ପାଖକୁ ଯିବାପାଇଁ କୌଣସି ଚିଟ୍ କିମ୍ବା ଚିରକୁଟ୍ ର ଆବଶ୍ୟକ ନଥିଲା। ବରଂ କୃଷକ ମାନେ ଆସିଲେ, ନିଜ ଗାଡିରେ ବସେଇ, ନିଜେ ଗାଡି ଡ୍ରାଇଭିଂ କରି ସେମାନଙ୍କୁ ଅଫିସ୍ କୁ ନେଇ ବ୍ୟକ୍ତିଗତ ସଚିବଙ୍କ ସହ ପରାମର୍ଶ କରି ସମସ୍ୟାର ସମାଧାନ କରୁଥିଲେ ।ଏମିତି କଲେ, ସେ’ କାହାଠୁ ପୁରସ୍କାର ପାଇବେ, କି’ କାହାକୁ ଦେଖେଇ ହେବେ ବୋଲି ଭାବୁନଥିଲେ ।
ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜଣେ କେହି କୃଷି ଅଧିକାରୀଙ୍କ ଜିଭରେ ହାଡ ନାହିଁ ଯିଏ କହିଦେଇ ପାରିବ ଯେ, ସେ ତା’ର ଟ୍ରାନସଫର୍ ଅଥବା ପୋଷ୍ଟିଂ ପାଇଁ କୃଷିମନ୍ତ୍ରୀଙ୍କୁ ୧ ଟଙ୍କା ବି ଲାଞ୍ଚ ଦେଇଚି…। ଏଇମିତି ଅନେକ ଘଟଣା ରହିଛି । ୟା ଆଗରୁ ମୋ’ ସହ କିମ୍ବା ମୋ ସାମ୍ନାରେ ଘଟିଥିବା କିଛି ଘଟଣା ସମ୍ପର୍କରେ ଆଗରୁ ଆଲୋଚନା କରିଚି…। ଏଇ ଏବେ ନିକଟ ଅତୀତରେ ମୋ’ର ଏକ ଛୋଟିଆ ଅନୁଭୂତି କଥା ଆଜି ଉଲ୍ଲେଖ କରୁଚି…,, ମ୍ୟୁନିସିପାଲଟି ନିର୍ବାଚନ ସମୟରେ, ମୁଁ ମୋ’ ନିଜ ଇଚ୍ଛାରେ ଦୁଇଜଣ ସିନେମା କଳାକାର ( ବିରେନ୍ ମିଶ୍ର ଏବଂ ଭବାନୀ, ଜଣେ ମୋ’ର ବଡଭାଇ ଆଉ ଜଣେ ବନ୍ଧୁ )ଙ୍କୁ ସାଙ୍ଗରେ ଧରି ନୟାଗଡ ଯାଇଥିଲି । ମୋ’ ସକ୍ଷମ ଅନୁଯାୟୀ, ବନ୍ଧୁ ହିସାବରେ ଅଳ୍ପ କିଛି ପଇସା ନିର୍ବାଚନୀ ଖର୍ଚ୍ଚ ନିମିତ୍ତ ଏକ ଲଫାପାରେ ପୁରେଇ ପକେଟ୍ ରେ ନେଇଥିଲି ।
ତାଙ୍କ ନୟାଗଡ଼ ଘରେ ଗୋଟେ ବନ୍ଦ୍ କୋଠରି ଭିତରେ ତାଙ୍କୁ ଲଫାପା କାଢି ବଢେଇ ଦେଲା ବେଳକୁ ସେ ଚିହିଁକି ଉଠିଲେ । ମୋ ଉପରେ ଭୀଷଣ ମାତ୍ରାରେ ରାଗିଯାଇ କହିଲେ , ଲଫାପା ପକେଟ୍ ରେ ପୁରେଇ ଚୁପଚାପ୍ ଘରକୁ ଫେରିଯାଅ….; ଆଉ କୋଠରୀ ଭିତରେ ଗୋଟାଏ ମୁହୂର୍ତ୍ତ ନ’ରହି ସେ’ କ୍ଷୀପ୍ରବେଗରେ ବାହାରିଗଲେ ।ସେତେବେଳକୁ ରାତି ୧୨ ଟା ଉପରେ, ସେ ଖାଇ ନ’ଥିଲେ, ମତେ ଖାଇବାକୁ ଡାକିଲେ, ମୁଁ ଖାଇ ସାରିଛି ବୋଲି କହିଲି । ଏମିତି କେତେକେତେ ସ୍ମରଣୀୟ ଘଟଣା ମତେ ଭାବପ୍ରବଣ କରିଚି…. ଡକ୍ଟର ଅରୁଣ କୁମାର ସାହୁ, ଜଣେ ନେତା ଭାବରେ କେତେ ସଫଳ କି ବିଫଳ, ସେ ବିଚାର ଆପଣ ମାନଙ୍କର।ମୋ’ ମତରେ ସେ ନିର୍ଭୀକ, ସ୍ୱାଭିମାନୀ, ଭାବପ୍ରବଣ, ସାହିତ୍ୟ-ସଂସ୍କୃତି ପ୍ରେମୀ ଏବଂ ସମାଜ ପାଇଁ ଜଣେ ଭଲ ମଣିଷ….।