No Result
View All Result
ସରପଞ୍ଚ ଗୋପାଳ ହାତୀ ବାଗପୁ୍ର ପଞ୍ଚାୟତ ପିପଲପଦର ଗ୍ରାମର ଜଗବନ୍ଧୁ ନାଏକଙ୍କ ଇଟା ଭାଟିରୁ ଇଟା ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି ଇଟା ଭାଟି ମାଲିକ ।
ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୁର ପଞ୍ଚାୟତର ସରପଞ୍ଚ ଗୋପାଳ ହାତୀଙ୍କ ନାମରେ ନର୍ଲା ଥାନାରେ ଏକ ଚୋରି ଅଭିଯୋଗ ହୋଇଥିବା ଜଣାପଡିଛି । ସରପଞ୍ଚ ଗୋପାଳ ହାତୀ ବାଗପୁ୍ର ପଞ୍ଚାୟତ ପିପଲପଦର ଗ୍ରାମର ଜଗବନ୍ଧୁ ନାଏକଙ୍କ ଇଟା ଭାଟିରୁ ଇଟା ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି ଇଟା ଭାଟି ମାଲିକ । ପ୍ରାଥମିକ ତଦନ୍ତ ପରେ ନର୍ଲା ଥାନାରେ ବାଗପୁର ସରପଂଚ ଗୋପାଳ କୃଷ୍ଣ ହାତିଙ୍କ ବିରୋଧରେ ଆଇ ପି ସି ଧାରା ୩୭୯ ରେ ଏକ ଚୋରି ମାମଲା ରୁଜୁ ହୋଇଥିବା ଡିଏସପି ସମ୍ୱିତ କୁମାର ମାଝୀ ପ୍ରକାଶ କରିଛନ୍ତି । ସରପଂଚ ହେଲେ ଗ୍ରାମ ପଞ୍ଚାୟତର ମୁଖିଆ,କାହା ପ୍ରତି ଅନ୍ୟାୟ ହେଲେ ନ୍ୟାୟ ନିଶାପ ପାଇଁ ଖୋଜାପଡନ୍ତି ସରପଂଚ । ହେଲେ ଏଠିତ ଖୋଦ୍ ସରପଂଚଙ୍କ ନାଁରେ ଚୋରି ଅଭିଯୋଗ ।
ସୂଚନା ଅନୁଯାୟୀ ନର୍ଲା ଥାନା ପିପଲପଦର ଗ୍ରାମର ଜଗବନ୍ଧୁ ନାଏକ ନିକଟସ୍ଥ ଜୁର୍କାଭଟା ଗ୍ରାମ ସ୍ଥିତ ଶୁଣେନଗୁମା କାଜୁ ବଗିଚା ଜମିରେ ୩୫ ହଜାର ଇଟା ପୋଡ଼ି ରଖିଥିଲେ । ଗତ ମଇ ମାସ ୨୫ ତାରିଖରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ନିଜ ସ୍ତ୍ରୀଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରୁ ଫେରିବା ପରେ ଗ୍ରାମର ଲୋକଙ୍କ ଠାରୁ ସ୍ଥାନୀୟ ସରପଞ୍ଚ ଗୋପାଳ କୃଷ୍ଣ ହାତି ତାଙ୍କ ଇଟା ଭାଟିରୁ ୨୫ ରୁ ୩୦ ହଜାର ଇଟା ଚୋରି କରି ନେଇ ଥିବା ଜାଣିବାକୁ ପାଇଲେ । ଚୋରି ହୋଇଥିବା ଇଟାର ସ୍ଥାନୀୟ ବଜାର ମୂଲ୍ୟ ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ହେବ । ଘଟଣାର ସତ୍ୟାସତ୍ୟ ଜାଣିବା ପରେ ନର୍ଲା ଥାନାରେ ସେ ସରପଂଚ ଗୋପାଳଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଘଟଣା ସଂପର୍କରେ ତଦନ୍ତ କରିବା ପରେ ନର୍ଲା ପୁଲିସ ସରପଂଚଙ୍କ ନାଁରେ ଏକ ଚୋରି ମାମଲା ରୁଜୁ କରିଥିବା ଜଣାପଡିଛି । ସରପଂଚ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ଯୋଗୁଁ ଜଗବନ୍ଧୁ ତାଙ୍କର ଚୋରି ହୋଇଥିବା ଇଟା କେମିତି ଫେରି ପାଇବେ ସେନେଇ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସରପଂଚ ଗୋପାଳ କହିବାନୁଯାୟୀ ତାଙ୍କ ଲୋକ ଟୁକୁ ନାଏକଙ୍କ ଇଟା ନେବା ପାଇଁ ଯାଇଥିଲେ । ଭୁଲବଶତଃ ନିକଟରେ ଥିବା ଜଗବନ୍ଧୁଙ୍କ ଇଟା ଭାଟିରୁ ଇଟା ନେଉଥିଲେ । ଜାଣିବା ପରେ ସେମାନେ ଜଗବନ୍ଧୁଙ୍କ ଇଟା ରଖିଦେଇଥିଲେ । ସେ ଏବିଷୟରେ କିଛି ଜାଣିନାହାନ୍ତି ଏବଂ ସେ ନିର୍ଦୋଷ ବୋଲି ପ୍ରକାଶ କରିଛନ୍ତି ।
No Result
View All Result