ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/କଳାହାଣ୍ଡି :- ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ମୁଦାଏ ପାଇଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ନର୍ଲା ବ୍ଳକ ଅଞ୍ଚଳରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବସୁଧା ପ୍ରକଳ୍ପ ମାଧ୍ୟମରେ ସମସ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ହେଉଛି । ତେବେ ଏହି ପ୍ରକଳ୍ପ ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ ଓ ପାଣିକଳ ପାଇଁ ବ୍ୟବହାର ହେଉଥିବା ମୂଲ୍ୟବାନ ତାର ଚୋରି ବୃଦ୍ଧି ପାଉଛି । ଏକ କପର ୱେରର ମୂଲ୍ୟ ୧ ମିଟର ପାଇଁ ୩୫୦ ଟଙ୍କା ରହିଥିବା ବେଳେ ୧୦୦ ରୁ ୨୦୦ ମିଟର ତାରରୁ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହେବ । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ତାର ଚୋରି କରିବା ଦିଗରେ କାମ କରୁଛି ।
ଏକ ମାସ ପୂର୍ବରୁ ବଡଧାରପୁର, ଶାନ୍ତପୁର ପଞ୍ଚାୟତରେ କପର ୱେର ଚୋରି ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୦ ଗୋଟି ପଞ୍ଚାୟତ ଅଞ୍ଚଳରୁ ଏହି ତାର ଚୋରି ହୋଇଥିବା ଜଣାଯାଏ । ରୁପ୍ରା, ମୁସ୍କୁଟି ପୁଣି ତା ପୂର୍ବରୁ ତୁଲାପଡା,ଭୀମକେଲା,ଉଲିକୂପା,କର୍ମେ,ଵାଲସିଙ୍ଗା,ଭାନପୁର ଅଞ୍ଚଳରୁ ତାର ଚୋରି ହୋଇଛି ।
ଏ ଦିଗରେ ପାନୀୟ ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କ କହିବା ଅନୁଯାୟୀ ୧ ମାସ ହେଲା ନର୍ଲା ଥାନାରେ ଚୋରି ସମ୍ପର୍କରେ ଏତଲା ଦିଆଯାଇଛି । ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନ ଥିବା ବେଳେ ଦିନକୁ ଦିନ କପର ତାର ଚୋରି ବୃଦ୍ଧି ପାଇବା ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି କହିଛନ୍ତି । ଅତି ନିଛାଟିଆ ଯାଗାରେ ଓ ନଦୀ କୂଳରେ ପାଣି କୂଅ ରହୁଥିବା ଯୋଗୁଁ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ କେତେକ ଲୋକେ ମତ ପ୍ରକାଶ କରିଛନ୍ତି ।