No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ରଣପୁର :- ଅଧ ରାତିଟାରେ ପୁରୁଷେ ଉଚ୍ଚା କାଳିଆ ଷଣ୍ଢଟେ ଗଂ ଗଂ ହୋଇ ବିକଳ ଗର୍ଜ୍ଜନ ଛାଡୁଥାଏ । ଆହାଃ ! ବିଚରାଟା ର ପ୍ରାଣ ଛାଡିଯିବ ବୋଧେ..? ଏ ସହରରେ କିଏ କାହିଁକି ଷଣ୍ଢ ପାଇଁ ସମବେଦନା ଦେଖେଇବ ଯେ..? କେତେ ଲୋକଙ୍କୁ ପଛ ଆଡୁ ଭୁଷି ଫୋପାଡ଼ିଛି ସେ, କେତେ ସ୍କୁଟର, ମଟର ସାଇକେଲ ଚାଳକ ଷଣ୍ଢ ଆକ୍ରମଣରେ ପଡି ଗୋଡ଼ହାତ ଭାଙ୍ଗି ପଡିଛନ୍ତି, କେତେ ଦାମୀ କାର ଚେପା ଟୋଲା ହୋଇଛି, ଷଣ୍ଢ ଲଢେଇ ରେ କେତେ ଠେଲା ଦୋକାନୀଙ୍କ ପସରା ଭାଙ୍ଗି ସଂସାର ଉଜୁଡିଛି, ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଛି । ଆଗରୁ ଏମିତି ଉତ୍ପାତ ହୋଇ କେତେଥର ଖୋଲା ମୁକୁଳା ଡ୍ରେନ ରେ ଷଣ୍ଢ ଗାଈ ଗୋରୁ ସହ କେତେ ମଣିଷ ପଡି ମୃତ୍ୟୁ ମୁଖରୁ ବଞ୍ଚି ଅକର୍ମଣ୍ୟ ହୋଇଛନ୍ତି । ଏଠି ଖୁବ ହେଲେ କୋଉ ସହୃଦୟ ବ୍ୟକ୍ତି କେବଳ ପଶୁ ସହାୟତା କେନ୍ଦ୍ର (Animal helpline) କୁ ନଚେତ ଦମକଳ ଅଫିସକୁ ଫୋନଟେ କରି ଦେଇଥାନ୍ତି । ଗାଁ ଗଣ୍ଡା ହୋଇଥିଲେ ଭଲା ଗୋବରା ଭଳି କେହି ଜଣେ ଗୋସେବା- କାରୀ ଲୋକଟେ ବାହାରି କଣ ଗୋଟେ ଉପାୟ କରିଥାନ୍ତା ।
ଗୋବରା ର ହେତୁ ପାଇଲା ଦିନୁ ଗୋଟେ ହୁଗୁଳା ମାଟିଆ ହାପ ପ୍ୟାଣ୍ଟ ଉପରେ ତିନି ହାତିଆ ଗାମୁଛାଟେ ଅଣ୍ଟାରେ ଭିଡି, ବେଂ ଲମ୍ବର ବରକୋଳି ପାଞ୍ଚଣ ଆଉ ପଘାଟେ ଧରି ଗାଈ ଗୋରୁଙ୍କ ପଛେ ପଛେ ବୁଲେ । ଯେତେବେଳେ ଦେଖିବ ଗୋବରା ଗୋ ସେବା କାମରେ ଲାଗିଥାଏ । କୋଉଠି ବାଛୁରୀ ଧରାଣ କାମ ତ କୋଉଠି ଦାମ୍ବୁଡିର ଜୁହାଳି ପକା ମହଣ, କେତେବେଳେ ଫାଟୁଆ, ବେଙ୍ଗା, ମହୁଆ, ସାମଣା, ସିଙ୍ଘ ଭଙ୍ଗା, କାନ୍ଧରେ ରକ୍ତଗଡା ରୋଗର ଚିକିତ୍ସା ତ, ଆଉ କେତେକ ସମୟରେ ଗାଈର ଇରପକା ଠାରୁ ଅହଣ୍ଡିଆ ବାଛୁରୀ ପାଳିବା କିମ୍ବା ମଲା ପିଲା ଜନ୍ମ କରିଥିବା ଗାଈକୁ ମଳେଇ କରେଇବା କାମରେ ଲାଗିଥାଏ । ଚିର ଶୁଖିଗଲେ ଦେଶୀ ଚେରମୁଳିରେ ଆଶୁ ଚିକିତ୍ସା କରିବା ଠାରୁ ପୋଖତି ଗାଈର ସହଜ ପ୍ରସବ କରେଇବାରେ ଗୋବରା ସିଦ୍ଧହସ୍ତ ।
ବାହା ପୁଆଣି ରେ ବନ୍ଦାଣ ଗାଈକୁ ଝିଅ ଶାଶୁ ଘରେ ପହଞ୍ଚାଇବା, ମାରଣା ଗୋରୁଙ୍କୁ ସାବଡ଼ କରାଇବାର କମାଲ ସିଏ ଦେଖେଇ ସାରିଛି । କାହା ହଡା ବଳଦ, ବାଞ୍ଝି ଓ ଟିପା ଅରଗଳି ବନ୍ଧା ଓଲେଇ ଗାଈ, ଅମହଣିଆ ତୁଣ୍ଡି ମରା ଦାମ୍ବୁଡି, କିଛି ନ ହେଲା ବେଳକୁ ଛେଳି ମେଣ୍ଢାର ପଘାଡିଆଁ କାମଟା କରି ଯାହା କିଛି ଦଶ ପଚାଶ କମାଏ । ସେଥିରୁ ପୁଣି ମହାଦେବଙ୍କ ଭାଗ ବାବଦକୁ, ସଂକ୍ରାନ୍ତି, ପୁର୍ଣ୍ଣମୀ, ଅମାବାସ୍ୟା, ବଳଦେବ ଜନ୍ମ, ଗହ୍ମାଡିଆଁ, କୋଠ ଚାନ୍ଦା, ଗୋ ସୁରକ୍ଷା ସମିତି ଭେଦା, ହାଟ ଟିକସ, ଉଁଛା ପାଉଣା, ଲାଞ୍ଜ ରୁ ଚୁଟିଟେ ଭିଡି ଶାର ରଖା ବାବଦକୁ କିଛି ଯାଉଥିଲା । ଚୋରି ଗାଈ ବଳଦ ବିକେଇବା ଅଭିଯୋଗରେ କେତେ ଥର ଥାନାକୁ ଟଣା ହୋଇ ଅଯଥାରେ ପୋଲିସକୁ ହାତ ଗୁଂଜା ଦେବାକୁ ପଡୁଥିଲା । ଅନେକ ଥର ତ ନ୍ୟାୟ ନିଶାପ ହୋଇ ତାକୁ ବାଧ୍ୟକରି ଭୁଲ ସ୍ୱୀକାର କିମ୍ବା ଜୋରିମାନା ଆଦାୟ କରାଯାଉଥିଲା ।
କିଛିବର୍ଷ ତଳୁ ଗୋଟେ ମା-ମଲା ଉରୁଚୁଟିଆ କାଳିଆ ଅଣ୍ଡିରା ବାଛୁରୀକୁ ରାସ୍ତା କଡ଼ରୁ ଉଠେଇ ଆଣି ସେବା ଶୁଶ୍ରୁଷା କରି ଲାଳନ ପାଳନ କରୁଥିଲା । ଶ୍ରଦ୍ଧାରେ ତାକୁ “କାଳିଆ ବାବା” ବୋଲି ଡାକୁଥିଲା । ତା ପାଳିତ ଉରୁଚୁଟିଆ ବାଛୁରୀଟା ୟା ଭିତରେ ଜଭର କାଳିଆ ଷଣ୍ଢ ହୋଇଯିବା ପରେ ଉଦା ଖିଆକୁ ନେଇ, କାଞ୍ଜିଆହୁଦାରେ ଅନେକଥର ସଲାମୀ ବୁଝେଇଛି । ଏତେ ସତ୍ତ୍ୱେ ଗୋବରା ତା ଗୋ- ସେବା ସହ ଗୋରୁ ବେପାର କାମଟିକୁ ଚଳାଇ ରଖିଥିଲା । ଏବକୁ ଗୋରୁହାଟରେ ଯାବତୀୟ କଟକଣା ଲାଗିଲା ଦିନୁ ଗୋବରା ହାତ ବନ୍ଦ । ଅଭାବ ଭିତରେ କିନ୍ତୁ ଗୋବରା,ତା କାଳିଆ ବାବା ପାଇଁ ଓଳିଏ ଆହାର ପାଣି ଦେବାରେ ହେଳା କରିନି। ପାଳ କୁଟାକୁ ବିଲରେ ନିଆଁ ନଗେଇ ପୋଡି ଦେବାରୁ ସେ ଗଣ୍ଡାକ ଆଉ ମିଳୁନି ।
ଯନ୍ତ୍ରର ବ୍ୟବହାର ରେ ଚାଷ ହେଲା ଦିନୁ କାହା ଘରେ ମଧ୍ୟ ଆଉ ଆଗଭଳି ଗାଈ ଗୋରୁ ନାହାନ୍ତି। ଯାହାର ବି ପଟେ ଅଧେ ଅଛନ୍ତି ସେ ବର୍ଷ ବାରମାସ ଉଦାଖିଆ ହୋଇ ଗୋଖାଦ୍ୟ ବଦଳରେ କାଗଜ, ପଲିଥିନ ଠାରୁ ଆରମ୍ଭ କରି ଭୋକ ବିକଳରେ ଯାବତୀୟ ଅଖାଦ୍ୟକୁ ଖାଇବା ଅଭ୍ୟାସ କରିଦେଲେଣି । ଗୋଚର ଭୂଇଁକୁ ତ ମୁଷ୍ଟିମେୟ ଲୋକେ କବଜା କରିବସିଲେଣି । ବାକି ଯାହା ଥିଲା, କଳ କାରଖାନା ବସେଇବା ପାଇଁ ସରକାର ଚିହ୍ନଟ କରି ରଖିଛନ୍ତି, ନ ହେଲେ କୋଉ ଶିଳ୍ପ ପ୍ରତିଷ୍ଠାନ କି ଗଛ ଲଗା କର୍ପୋରେସନ କିମ୍ବା ଖଣିଖନନ ପାଇଁ ହସ୍ତାନ୍ତର କରି ଦେଉଛନ୍ତି । ଜଙ୍ଗଲ ଧ୍ୱଂସ କରି, ରାସ୍ତାକଡ଼ର ଗଛକାଟି, ବଗଚରା କୁ ମଡେଇ ନିପଟ ମଫସଲ କୁ ପିଚୁ କଂକ୍ରିଟର ଓଷାରିଆ ରାସ୍ତା କରିବା ଦ୍ୱାରା ଚାରଣ ଭୂଇଁ ସଙ୍କୁଚିତ ହୋଇଯାଇଛି। ଚାଷ ଓ ଚାଷୀକୁ ସମ୍ମାନ ନ ମିଳିବା, ପରିଶ୍ରମ ତୁଳନାରେ ଲାଭଜନକ ନ ହେବା ଯୋଗୁ ଲୋକେ ଚାଷରୁ ମୁଁହ ଫେରେଇଲେଣି।
ସରକାରୀ ସ୍ତରରେ ସାର, କୀଟନାଶକ, ଗୋଖାଦ୍ୟ ଆଦିର ବ୍ୟାପକ ଦୁର୍ନୀତି, ଅଭାବିବିକ୍ରି, ଶ୍ରେଷ୍ଠ କୃଷକ ଓ କୃଷି କର୍ମଣ ପୁରସ୍କାର ଘୋଷଣାରେ ଜାଲିଆତି, ମଣ୍ଡି ଓ ମିଲରଙ୍କ ସଲସୁତୁରାରେ ବେନିଅମ କଟନୀ ଛାଟନି, ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ରେ ଟାଳଟୁଳ ନୀତି କୁ ନେଇ କୃଷିଜୀବୀ ମାନଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି ସତ କିନ୍ତୁ ଆଜି ଦିନରେ ଆନ୍ଦୋଳନର ସଂଜ୍ଞା ଓ ସ୍ଲୋଗାନ ବଦଳିଯାଉଛି। “ଚାଷୀକୁ ଜମି, ଜମିକୁ ଜଳ ” – “ଗୋରୁଗାଈଙ୍କୁ କଂସେଇ ହାତରୁ ରକ୍ଷାକର” ଆଦି ଦାବି ଆଉ ଶୁଣାଯାଉନି । ସରକାରୀ ଭାବେ କୃଷି ବିଭାଗରୁ ପଶୁପାଳନକୁ ଅଲଗା କଲା ଦିନୁ ଗୃହପାଳିତ ପଶୁ ସମ୍ପଦ ନିପାତ ହେବାକୁ ବସିଲାଣି। ଚାଷ ଉପରେ ନିର୍ଭରକରି, ଗୋ ସମ୍ପଦକୁ ସୁରକ୍ଷା ଦେଉଥିବା ଗୋବରାମାନଙ୍କ ଷଣ୍ଢ ପାଇଁ ପେଜ ତୋରାଣି ମୁନ୍ଦେ ମାଗିଲେ ବି ମିଳୁନି। ଗୋବଂଶ ବୃଦ୍ଧିକାରୀ ଷଣ୍ଢମାନେ ମଧ୍ୟ ଏ କଥାକୁ ବୁଝିଗଲେଣି ।
ସେଥିପାଇଁ ବୋଧେ କିଛିଦିନ ହେଲା ଗୋବରା ର କାଳିଆ ଷଣ୍ଢ ଟା କୁଆଡେ ବାହାରେ ଆଉ ବେଶି ବୁଲା ଚଲା ନ କରି ଦିନସାରା ବେଲଗଛ ତଳେ ଶୋଇ, ମହାଦେବ ମନ୍ଦିରରେ ପଢ଼ାଯାଉଥିବା ଭାଗବତ ବାଣୀକୁ ପୁରା ମନଧ୍ୟାନ ଦେଇ ଶୁଣୁଥିଲା ବୋଲି ତା ଗାଁ ଲୋକେ କହୁଛନ୍ତି । ରାତି ହେଲେ କାଳିଆ ବାବାର ଉଦାଖିଆ ପାଇଁ ଜୋରିମାନା ଦେବା ଡର ଓ ଅଣ ଓସାରିଆ କୂଅ ପୋଖରୀରେ ପଡିଯିବାର ଭୟରେ, ଗୋବରା ତା ଦୁଆର ମୁଁହ ଖୁଣ୍ଟିରେ କାଳିଆ ବାବାକୁ ବାନ୍ଧି ଛନ୍ଦଣି ସିନା ଲଗେଇ ଦେଉଥିଲା, ହେଲେ ତା ମନକୁ ପାପ ଛୁଉଁଥିଲା । କାହିଁକି ନା ପିଲାଦିନେ ଖୁଣ୍ଟିରେ ବାନ୍ଧିଥିବା ଗୋଟେ ରୋଗିଣା ବାଛୁରୀଟି ମରିଯିବାରୁ ଗୋବରାକୁ ଗୋ-ବଧ ପାପ ଲାଗିଥିଲା । ତା ବେକରେ ପାଳ ଦଇଡି ପକେଇ ଦିଆଯାଇଥିଲା, ଦୁଆର ଦୁଆର ବୁଲି ଭିକ ମାଗିବାକୁ କୁହାଗଲା ।
ଏକୋଇଶ ଦିନକାଳ କୋଠ ଘର ବାହିଲି ପିଣ୍ଢାରେ ଶୋଇ ରାତି କାଟିଲା, ବିଚରା ଇତର ଅଛଵ ପାଗଳ ଟିଏ ଭଳି ଖଲି ପତ୍ରରେ କିଏ କଣ ଯୋଡ଼େ ଥୋଇଦେଲେ ଖାଇଲା । ଖପରାରେ ପାଣି ପିଇଲା । ତା ଜନ୍ମଦାତ୍ରୀ ମା’ ପାଇଁ ବି ସେ କିଛିଦିନ ଅଛୁଆଁ ହୋଇଗଲା। ଛ’ ପାଦ ଦୋଷ ଲାଗିଛି ବୋଲି ତିଆଡି ମାଷ୍ଟ୍ରେ ପାଠ କରି କହିଲେ । ଭିକ୍ଷା ପଇସା ରେ ଗୋବରା ପୁରୀ ଗଲା, ଲଣ୍ଡା ହୋଇ ମୁକ୍ତି ମଣ୍ଡପରେ ଶୁଦ୍ଧି ହେଲା । ତା ପରଠୁ ତାର ପାଠରେ ଡୋରି ବନ୍ଧା ହୋଇଯାଇଥିଲା। ଆଉ ମୁକ୍ତି ମଣ୍ଡପର ପଣ୍ଡିତଙ୍କ ପରାମର୍ଶରେ ଗ୍ରହଦଶା କାଟିବାକୁ ଗୋବରା ଜୀବନସାରା ଗୋ ସେବାରେ ନିଜକୁ ନିୟୋଜିତ କରି ଷଣ୍ଢକୁ ଖାଇବାକୁ ଦେଉଥିଲା ।
ହାଲକୁ ଚାଷୀ ସମାବେଶ କୁ ଆନ୍ଦୋଳନଜୀବୀ ଅବା ଦଙ୍ଗାଜୀବୀଙ୍କ ସମାବେଶ ଆକ୍ଷା ଦେଉଥିବା କିଛି ଦର ପାଠୁଆ ବିପକ୍ଷବାଦୀ ଟୋକା, ଗୋବରା ପାଖକୁ ଆସିଥିଲେ। ସମାବେଶ ସ୍ଥଳରେ ବିଭ୍ରାଟ କରେଇବାକୁ ଟଙ୍କା ଦେଇ ତା କାଳିଆ ଷଣ୍ଢକୁ ସହରର ଧାରଣା ସ୍ଥଳକୁ ନେବା ପାଇଁ ପ୍ରବତାଇଲେ । ଗୋବରା ବି ଟଙ୍କା ଲୋଭରେ ରାଜି ପଡିଗଲା । ରାତାରାତି ଚାରି ଚକିଆ ଡାଲା ଗାଡ଼ିରେ କାଳିଆ ଷଣ୍ଢକୁ ସମାବେଶ ସ୍ଥଳରେ ପହଞ୍ଚାଇଦେଲା। ତା ଲାଞ୍ଜରେ ଖଣ୍ଡିଆ କୁଲା ଟେ ବାନ୍ଧି ନାଲି ଗାମୁଛା ଉଡେଇ ହୁରୁଡ଼ାଇ ଦିଆଗଲା । ସେ ଦିନରୁ କାଳିଆ ଷଣ୍ଢ ସହରର ଐତିହ ପୀଠ ଠାରୁ ସମାବେଶ ସ୍ଥଳ ପର୍ଯ୍ୟନ୍ତ ଏମିତି ଅମାନିଆ, ମାରଣା, ଉତୁପାତିଆ ହୋଇ ବୁଲୁଛି । ଲୋକେ ତାକୁ ଦେଖିଲେ ବାଟ କାଟି ଦୁରୁ ଜୁହାର ପକାଇ ଶିଵ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କହୁଛନ୍ତି – ପ୍ରଭୁ ହେ !!! ସତରେ କଣ ଏଭଳି ଷଣ୍ଢ ମାନଙ୍କ ପାଇଁ ପଘା ନାହିଁ କି ଲଗାମ ନାହିଁ …???

No Result
View All Result