ମୁଖ୍ୟମନ୍ତ୍ରୀ ସାରା ଓଡିଶା : ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି

????????????

ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ଛତ୍ରପୁର :- ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ । ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି । ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ । ଗଞ୍ଜାମବାସୀଙ୍କ ସୁଖଦୁଃଖରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି । ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମା ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗର ମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମାଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି । ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ । ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ ।

ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ଏବଂ ଋଷିକୂଲ୍ୟା ନଦୀ ତଟ ଉନ୍ନତି କରଣ କାର୍ଯ୍ୟ ର ଭିତ୍ତି ମଧ୍ୟ ରଖିଥିଲେ । ପ୍ରତିଷ୍ଠା ଉତ୍ସବରେ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ାୀ ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଵିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା । ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।